ଭୁବନେଶ୍ୱର: ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ର ଉଦ୍ଘାଟନୀ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ – ୩ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଏହି ପୁସ୍ତକ ମହୋତ୍ସବ। ଡିସେମ୍ୱର ୬ ରୁ ୧୭ ତାରିଖ ଯାଏଁ ଏହା ଚାଲିବ । ଚଳିତ ବର୍ଷ ଏହି ମହୋତ୍ସବରେ ୫୫୦ ଟି ଷ୍ଟଲ ଖୋଲାଯାଇଛି । ଏଥିସହିତ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଭିଲିଅନ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦ୍ଘାଟନ କରି ଷ୍ଟଲ ବୁଲି ଦେଖିଥିଲେ ଓ ପୁସ୍ତକ କ୍ରୟ କରିଥିଲେ । ଏଥିସହିତ ବରପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ପାଭିଲିଅନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପସ୍ଥିତ ସାହିତ୍ୟିକ, ଲେଖକ ଓ ପୁସ୍ତକପ୍ରେମୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ଲାଇବ୍ରେରୀ ଆକାରରେ ରଖିଛନ୍ତି ଏବଂ ସମୟ ପାଇଲେ ତାକୁ ପଢ଼ୁଛନ୍ତି ।
ପିଲାମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁସ୍ତକ ପଠନ ମାଧ୍ୟମରେ ଆମ ଅବହେଳିତ ତଥା ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଆମେ ଜାଣିପାରିବା । ଲେଖକମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ, ଏହି ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ପୁସ୍ତକ ମାଧ୍ୟମରେ ସେମାନଙ୍କୁ ଲୋକଲୋଚନକୁ ଆଣନ୍ତୁ । ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରତିଭା ରାୟଙ୍କ ଯାଜ୍ଞସେନୀ ପୁସ୍ତକର ପ୍ରଂଶସା କରି କହିଥିଲେ ଯେ, ଏହି ମହାନ୍ ସାରସ୍ୱତ ସାଧକ ଆଜି ଯେଉଁ ଆହ୍ୱାନ ଦେଲେ ତାହା ଆମ ସମାଜ ପାଇଁ ଏକ ବଡ଼ ସନ୍ଦେଶ । ଆଜିଠାରୁ ମୁଁ ମଧ୍ୟ ପୁସ୍ତକକୁ ଉପହାର ସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଲି । ମୋର ଅନୁରୋଧ, ଆପଣମାନେ ସମସ୍ତେ ମଧ୍ୟ ପୁସ୍ତକ କିଣନ୍ତୁ ଓ ଉପହାର ଦିଅନ୍ତୁ । ଫୁଲ ଉପହାର ଦେଲେ ତାହା ମଉଳି ନଷ୍ଟ ହୋଇଯାଇଥାଏ କିନ୍ତୁ, ପୁସ୍ତକ ଦିନକୁ ଦିନ ଆମର ଚେତନାକୁ ଆହୁରି ଜାଗ୍ରତ କରିଥାଏ । ସମସ୍ତେ ଯଦି ଏହାକୁ ଗ୍ରହଣ କରିବେ, ତେବେ ପାଠକ ସଂଖ୍ୟା ବଢ଼ିବ ଏହାଦ୍ୱାରା ଲେଖକ ମଧ୍ୟ ଉତ୍ସାହିତ ହେବେ ଏବଂ ଆମ ଓଡ଼ିଆ ଭାଷା ସାହିତ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମେ ପୁସ୍ତକକୁ ଭଗବାନ ସଦୃଶ ବିବେଚନା କରି ପୂଜା କରିଥାଉ । ପୁସ୍ତକ ଆମ ଚେତନାକୁ ସବୁବେଳେ ପ୍ରଭାବିତ କରିଛି । ପିଲାମାନଙ୍କୁ ମୋବାଇଲ ବ୍ୟବହାରକୁ କମ୍ କରି ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିଥିଲେ । ଏକାମ୍ର, ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ପୂର୍ବରୁ ଏହା ପୁସ୍ତକ ମେଳା ଭାବେ ଥିଲା । ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏକ ମହୋତ୍ସବରେ ପରିଣତ ହୋଇଛି । ଯୁବଶକ୍ତିଙ୍କୁ ପୁସ୍ତକ ସହ ଯୋଡ଼ି ରଖିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ବିଶିଷ୍ଟ ସାରସ୍ୱତ ସାଧିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ, ମାନବ ଜାତିର ଇତିହାସରେ ଦୁଇଟି ବିସ୍ମୟକର ଘଟଣା ହେଉଛି ଅଗ୍ନି ଏବଂ ଭାଷା । ଭାଷା ମଣିଷ ଦ୍ୱାରା ଉଦ୍ଭାବିତ । ମଣିଷ ନିଜର ବିବେକ, ଚେତନା ଓ ଜ୍ଞାନ ଦ୍ୱାରା ଏହାକୁ ଉଦ୍ଭାବନ କରିଛି । ଆମ ସଂସ୍କୃତି ହେଉଛି ପୋଥିଗତ, ଜ୍ଞାନଗତ ଓ ବିବେକଗତ । ପୋଥି ହେଉଛି ଆମ ସବୁଠାରୁ ବଡ଼ ବନ୍ଧୁ । ଆମ ଭିତରେ ଥିବା ଚେତନାକୁ ଜାଗ୍ରତ କରିଥାଏ ପୁସ୍ତକ । ତେଣୁ ପୁସ୍ତକକୁ ଉପହାର ରୂପେ ଗ୍ରହଣ କରିବା ଓ ପ୍ରଦାନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ଯୁବବର୍ଗଙ୍କୁ ଆଗାମୀ ଭାଲେଣ୍ଟାଇନ ଡେ’କୁ ବୁକ୍ ଡେ ଭାବେ ପାଳନ କରିବା ପାଇଁ ଆହ୍ଷାନ ଦେଇଥିଲେ । ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ, ପୁସ୍ତକ ହେଉଛି ଶବ୍ଦର ଗ୍ରନ୍ଥାଗାର ଏବଂ ଏହି ପୁସ୍ତକମେଳା ହେଉଛି ପୁସ୍ତକର ବୃହତ୍ ଗ୍ରନ୍ଥାଗାର । ଗତ ଦୁଇ ବର୍ଷ ଧରି ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏହି ମେଳା ଭାରତବର୍ଷର ସବୁଠାରୁ ବଡ଼ ପୁସ୍ତକ ମେଳାରେ ପରିଣତ ହୋଇଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ‘ଅପରେସନ ସିନ୍ଦୁର’, ଡକ୍ଟର ପଞ୍ଚାନନ ନାୟକଙ୍କ ‘ଦେ’, ବଦ୍ରୀ ମହାପାତ୍ରଙ୍କ ‘ମୁର୍ଚ୍ଛିତ ମୋକ୍ଷ’ ବିମଳା ସିଂଙ୍କ ‘ଝରା ଶ୍ରାବଣ’, ଦାଶ ବେନହୂରଙ୍କ ‘ଓଡ଼ିଆ ଶିଶୁ ସାହିତ୍ୟ କିଛି ପର୍ଯ୍ୟାଲୋଚନା’ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଭିନ୍ନ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।










