17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶୟୁଏନ୍ ପିସ୍‌କିପରଙ୍କ ଶିବିର ଉପରେ ଆଇଡିଏଫ୍‌ର ହମ୍‌ଲା; ବିଶ୍ୱବ୍ୟାପୀ ନିନ୍ଦା, ଚିନ୍ତା ବ୍ୟକ୍ତ କଲା ଭାରତ

ୟୁଏନ୍ ପିସ୍‌କିପରଙ୍କ ଶିବିର ଉପରେ ଆଇଡିଏଫ୍‌ର ହମ୍‌ଲା; ବିଶ୍ୱବ୍ୟାପୀ ନିନ୍ଦା, ଚିନ୍ତା ବ୍ୟକ୍ତ କଲା ଭାରତ

ବେରୁଟ: ଲେବାନନରେ ଶାନ୍ତି ସ୍ଥାପନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆରମ୍ଭ କରାଯାଇଥିବା ଶାନ୍ତି ସ୍ଥାପନ କାର୍ଯ୍ୟକ୍ରମକୁ ଏବେ ଜୋରଦାର ଝଟ୍‌କା ଲାଗିଛି। ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍‌ରେ କରାଯାଇଥିବା ଆକ୍ରମଣରେ ମିଳିତ ଜାତିସଂଘର ଏହି କାର୍ଯ୍ୟକ୍ରମ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରକାଶ, ମିଳିତ ଜାତିସଂଘ ଲେବାନନ୍‌ରେ ଚାଲିଥିବା ରକ୍ତପାତ ତଥା ଯୁଦ୍ଧ ବିଭୀଷିକାକୁ ବନ୍ଦ କରିବା ଏବଂ ଶାନ୍ତି ସ୍ଥାପନ ଦିଗରେ ଅହରହ ଉଦ୍ୟମ କରିଆସୁଛି।

ତେବେ ଏହି ଉଦ୍ୟମର ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଜାତିସଂଘ ପକ୍ଷରୁ ଏଠାରେ ଏକ ଶାନ୍ତି ମିଶନ୍ ଆରମ୍ଭ କରାଯାଇଛି ଯେଉଁଥିରେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ସେମାନଙ୍କ ସୈନ୍ୟବଳର ଏକ ଅଂଶକୁ ସାମିଲ କରିଛନ୍ତି। ଏଥିରେ ଭାରତ ମଧ୍ୟ ସାମିଲ ହୋଇଛି। ଏହାକୁ ୟୁଏନ୍ ପିସ୍‌କିପର (ଜାତିସଂଘ ଶାନ୍ତି ସ୍ଥାପକ/ଦୂତ) ବା ଅନ୍ତରୀଣ ବାହିନୀ ଭାବେ ମଧ୍ୟ ଅଭିହିତ କରାଯାଉଛି। ଭାରତୀୟ ସେନାର ପ୍ରାୟ ୬୦୦ ଯବାନ୍ ଏହି ମିଶନରେ ସାମିଲ ହେବା ପୂର୍ବକ ଲେବାନନ୍‌-ଇସ୍ରାଏଲ୍ ସୀମାକୁ ଲାଗିଥିବା ୧୨୦ କିମି ଦୈର୍ଘ୍ୟବିଶିଷ୍ଟ ବ୍ଲୁ-ଲାଇନ୍‌ରେ ମୁତୟନ ଅଛନ୍ତି। ତେବେ ଇସ୍ରାଏଲ ଏବେ ଏହି ଅଞ୍ଚଳରେ ଥିବା ହିଜବୁଲ୍ଲା ଉଗ୍ରବାଦୀ ସଂଗଠନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେବା ଉଦ୍ଦେଶ୍ୟରେ ଭୟଙ୍କର ଆକ୍ରମଣ କରିବା ଆରମ୍ଭ କରିଛି। ଯାହାଦ୍ୱାରା ଅନ୍ୟ ଦେଶର ସୈନ୍ୟବଳଙ୍କ ସହ ଭାରତୀୟ ସୈନ୍ୟଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁସାରେ ଦକ୍ଷିଣ ଲେବାନନରେ ନିୟୋଜିତ ଥିବା ମିଳିତ ଜାତିସଂଘର ଏହି ଶାନ୍ତି ସ୍ଥାପକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଦକ୍ଷିଣ ଲେବାନନରେ ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରୁଥିବା ଆକ୍ରମଣ ଦ୍ୱାରା ଶାନ୍ତି ସ୍ଥାପକମାନେ ପ୍ରଭାବିତ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁକ୍ରବାର ଇସ୍ରାଏଲ୍‌କୁ ପରୋକ୍ଷରେ ପରାମର୍ଶ ଦେବା ଆଳରେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ବ୍ଲୁ-ଲାଇନ ଅଞ୍ଚଳର ସୁରକ୍ଷା ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବାରୁ ଆମେ ଚିନ୍ତିତ। ଆମେ ନିୟମିତ ଭାବେ ସ୍ଥିତିକୁ ତୀକ୍ଷ୍ଣ ଭାବେ ସମୀକ୍ଷା କରୁଛୁ। ମିଳିତ ଜାତିସଂଘ ପରିସରରେ ଥିବା ନିୟମକୁ ସମସ୍ତେ ସମ୍ମାନ ଦେବା ଦରକାର। ମିଳିତ ଜାତିସଂଘର ଶାନ୍ତି ସ୍ଥାପକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଦାୟିତ୍ୱ ସମସ୍ତଙ୍କର। ଏହାକୁ ସମସ୍ତେ ଅନୁପାଳନ କରିବା ଉଚିତ୍‌।” ପ୍ରକାଶ, ଲେବନାନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀ କାର୍ଯ୍ୟ କରୁଥିବା ଲେବନାନରେ ଜାତିସଂଘର ଟାର୍ଗେଟ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ନିନ୍ଦା କରାଯାଉଥିବା ବେଳେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ବୟାନ ଦେଇଛି ।

ସୂଚନାଯୋଗ୍ୟ, ଦିନକ ତଳେ ମିଳିତ ଜାତିସଂଘ କହିଥିଲା ଯେ ନାକୌରା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳରେ ଇସ୍ରାଏଲ ସେନାବାହିନୀ (ଆଇଡିଏଫ୍‌) ପକ୍ଷରୁ ବ୍ୟାପକ ବୋମା ମାଡ଼ କରାଯାଇଛି। ଶୁକ୍ରବାର ଆଇଡିଏଫ୍‌ର ଗୋଟିଏ ମେରକାଭାର ଟ୍ୟାଙ୍କରୁ ଗୁଳି ମାଡ଼ କରାଯାଇଥିଲା। ଏହାଦ୍ୱାରା ୨ ଜଣ ଶାନ୍ତି ସ୍ଥାପକ ଆହତ ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସେମାନେ ଗୁରୁତର ହୋଇନାହାନ୍ତି। ତଥାପି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାଙ୍କୁ ଇସ୍ରାଏଲ ସେନା ହତ୍ୟା କରିବା ପରେ ଲେବାନନ ସୀମାରେ ସ୍ଥିତି ଅଧିକ ଭୟଙ୍କର ହୋଇଛି। ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ଅପରେସନ ଜାରି ରଖିଥିବା ବେଳେ ଲେବାନନ ପଟୁ ହିଜବୁଲ୍ଲା ମଧ୍ୟ ଏହାର ଦୃଢ଼ ଜବାବ ଦେଉଛି। ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ୍ ପକ୍ଷରୁ ଶୁକ୍ରବାର ଦକ୍ଷିଣ ଲେବାନନ୍ ଉପରେ କରାଯାଇଥିବା ସଦ୍ୟତମ ଆକ୍ରମଣରେ ଆରୈବ୍ -ଏଲ୍ ଶୋଗା ନାମକ ହିଜବୁଲ୍ଲାର ଜଣେ କମାଣ୍ଡର ପ୍ରାଣ ହରାଇଛନ୍ତି। ଏହି କମାଣ୍ଡରଜଣକ ଉତ୍ତର ଇସ୍ରାଏଲ୍ ଭାଗରେ ହିଜବୁଲ୍ଲା ପକ୍ଷରୁ କରାଯାଉଥିବା ଆକ୍ରମଣର ମିସାଇଲ୍ ୟୁନିଟ୍‌ର ନେତୃତ୍ୱ ନେଉଥିଲେ ବୋଲି ଇସ୍ରାଏଲ ସେନାବାହିନୀ ଦର୍ଶାଇଛି। ଦକ୍ଷିଣ ଲେବାନନ୍‌ର ମୈସ୍ ଏଲ୍ ଜବାଲ୍ ପ୍ରାନ୍ତରେ ଆରୈବ୍ -ଏଲ୍ ଶୋଗା ନିହତ ହୋଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking