25.1 C
Bhubaneswar
Thursday, February 5, 2026
Homeଓଡିଶାବିଷ୍ଣୁପଦଙ୍କୁ ମିଳିଲା ଦାୟିତ୍ୱ

ବିଷ୍ଣୁପଦଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୧ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତିି। ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଛି ନିଯୁକ୍ତି। ଏ ନେଇ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁସାରେ..

୧) ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ କୁମାର ସିଂଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

୨) ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କଠୁ ଇସ୍ପାତ ଓ ଖଣି ବିଭାଗ ଏବଂ ଓଏମସି ଅଧ୍ୟକ୍ଷ ଦାୟିତ୍ୱ କାଢ଼ି ନିଆଯାଇ କେବଳ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ସେ ଅତିରିକ୍ତ ଭାବେ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ ।

୩) ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ କେବିକେ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।

୪) ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମଙ୍କ ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ସହ ଅତିରିକ୍ତ ଭାବେ ବିଜ୍ଞାନ ଓ କାରିଗର କୌଶଳ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

୫) କୃଷି ଓ କୃଷକ କଲ୍ୟାଣ ବିଭାଗର ଦାୟିତ୍ୱରେ ଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ କୁମାର ପାଢ଼ୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।

୬) ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗ କାଢ଼ି ନିଆଯାଇଛି । ଉଷାଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି । ସେ ଅତିରିକ୍ତ ଭାବେ ଇଡକୋ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ ।

୭) ୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି ।

୮) ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ସଚିବ ଶୁଭା ଶର୍ମାଙ୍କଠୁ ମହିଳା ଓ ଶିଶୁ ବିକାଶ ବିଭାଗ କାଢ଼ି ନିଆଯାଇ କେବଳ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଅଯାଇଛି ।

୯) ୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରବେ ।

୧୦) ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ ଗିରିଶଙ୍କୁ ଓଡ଼ିଶା ଖଣି ନିଗମ(ଓଏମସି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

୧୧) ସେହିପରି ୨୦୦୨ ବ୍ୟାଚ୍ ଆଇଏଏସ୍ ଡାକ୍ତର ମୃଣାଳିନୀ ଦର୍ଶୱାଲ ଦୀର୍ଘବର୍ଷ ପରେ ଭୁବନେଶ୍ୱର ଫେରିଛନ୍ତି । ନୂଆଦିଲ୍ଲୀରେ ସ୍ୱତନ୍ତ୍ର ଆବାସିକ କମିଶନର ଭାବେ କାର୍ଯ୍ୟ କରୁଥିବା ମୃଣାଳିନୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

୧୨) ସେହିପରି ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଦିଆଯାଇଛି । ସେ ରାଜ୍ୟ ସମବାୟ ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

୧୩) ପର୍ଯ୍ୟଟନ ବିଭାଗ ସଚିବ ୨୦୦୭ ବ୍ୟାଚ୍ ଆଇଏଏସ୍ ବଳବନ୍ତ ସିଂଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନ୍ୟସ୍ତ ହୋଇଛି ।

୧୪) ୨୦୦୭ ବ୍ୟାଚ୍ ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

୧୫) ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ୨୦୧୦ ବ୍ୟାଚ୍ ଆଇଏଏସ୍ ସୁଧାଂଶୁ ମୋହନ ସାମଲଙ୍କୁ କଟକ କେନ୍ଦ୍ରାଂଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି

୧୬) ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ , ଓରସାକ୍ ଓ ଷ୍ଟାର୍ଟଅପ୍ ଓଡ଼ିଶା ସିଇଓ ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରଶ୍ମିତା ପଣ୍ଡାଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଦାୟିତ୍ୱ ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

୧୭) ମତ୍ସ୍ୟ ନିର୍ଦ୍ଦେଶକ ୨୦୧୦ ବ୍ୟାଚ୍ ଆଇଏଏସ୍ ସିଦ୍ଦିକ ଆଲମଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ବଦଳି କରିଛନ୍ତି । ସେ ଭୁବନେଶ୍ୱର କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

୧୮) ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭଲଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

୧୯) ସେହି ବ୍ୟାଚର ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

୨୦) ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକ୍ସନ୍ ନିଗମ(ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

୨୧) ଦକ୍ଷିଣାଞ୍ଚଳ ଆରଡିସି ୨୦୧୨ ବ୍ୟାଚ୍ ଆଇଏଏସ୍ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଂଚଳର ଇନଚାର୍ଜ ଆରଡିସି ଓ ପଶ୍ଚିମାଂଚଳ ବିକାଶ ପରିଷଦର ଇନଚାର୍ଜ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking