27.1 C
Bhubaneswar
Tuesday, December 16, 2025
Homeଖେଳଚେନ୍ନାଇକୁ ୫ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

ଚେନ୍ନାଇକୁ ୫ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଆଇପିଏଲ୍ ସିଜନ୍‌ର ୪୩ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୫ ୱିକେଟ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ)କୁ ହରାଇ ଦେଇଛି। ଶୁକ୍ରବାର ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦକୁ ବିଜୟ ପାଇଁ ୧୫୫ ରନ୍‌ର ଆବଶ୍ୟକତା ଥିବାବେଳେ ଟିମ୍ ଏହାକୁ ୧୮.୪ ଓଭର୍‌ରେ ହାସଲ କରିନେଇଛି। ଚଳିତ ସିଜନ୍‌ରେ ଏହା ୯ ମ୍ୟାଚ୍‌ରୁ ଚେନ୍ନାଇର ସପ୍ତମ ପରାଜୟ ହୋଇଥିବା ବେଳେ ଟିମ୍ ପଏଣ୍ଟ୍ ଟେବଲ୍‌ର ସର୍ବନିମ୍ନରେ ରହିଛି। ସେହିପରି ସମାନ ସଂଖ୍ୟକ ମ୍ୟାଚ୍‌ରୁ ଏହା ହାଇଦ୍ରାବାଦର ତୃତୀୟ ବିଜୟ। ଏହା ସହିତ ଟିମ୍ ପ୍ଲେଅଫ୍ ଖେଳିବା ଆଶା ଉଜ୍ଜୀବିତ ରଖିଛି।

୧୫୫ ରନ୍ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦକୁ ଦ୍ୱିତୀୟ ବଲ୍‌ରେ ହିଁ ଝଟ୍‌କା ଲାଗିଥିଲା। ଅଭିଷେକ ଶର୍ମା ଖାତା ଖୋଲିବାକୁ ପୂର୍ବରୁ ଖଲିଲ ଅହମଦ୍‌ଙ୍କ ବଲ୍‌ରେ ଆୟୁଷ ମାହାତ୍ରେଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ଏହାପରେ ଟ୍ରାଭିସ୍ ହେଡ୍ (୧୯) ଅଂଶୁଳ କମ୍ବୋଜ୍‌ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ହେନ୍‌ରିକ୍ କ୍ଲାସେନ୍ ୭ ରନ୍ କରିଥିବା ବେଳେ ଜାଡ଼େଜାଙ୍କ ବଲ୍‌ରେ ଦୀପକ ହୁଡ୍ଡାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ଈଶାନ୍ କିଶନ୍ ୩୪ ବଲ୍‌ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୪୪ ରନ୍ କରି ନୁର୍ ଅହମଦ୍‌ଙ୍କ ବଲ୍‌ରେ ସାମ୍ କରନ୍‌ଙ୍କ ହାତରେ ଧରାପଡ଼ିଥିଲେ। ଅନିକେତ୍ ବର୍ମା ୧୯ ରନ୍ କରି ନୁର୍ ଅହମଦ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୧୦୬ ରନ୍‌ରେ ୫ ୱିକେଟ୍‌ର ପତନ ପରେ କାମିନ୍ଦୁ ମେଣ୍ଡିସ୍ ଓ ନୀତୀଶ କୁମାର ରେଡ୍ଡୀ ଅବିଭାଜିତ ୬ଷ୍ଠ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ି ଟିମ୍‌କୁ ୧୮.୪ ଓଭର୍‌ରେ ରୋମାଞ୍ଚକର ବିଜୟ ଦେଇଛନ୍ତି। ମେଣ୍ଡିସ୍ ୨୨ ବଲ୍‌ରେ ୩ ଚୌକା ସହାୟତାରେ ୩୨ ଏବଂ ନୀତୀଶ ରେଡ୍ଡୀ ୧୩ ବଲ୍‌ରେ ୨ ଚୌକା ସହାୟତାରେ ୧୯ ରନ୍ କରି ଅପରାଜିତ ଫେରିଥିଲେ। ଚେନ୍ନାଇ ପକ୍ଷରୁ ନୁର୍ ଅହମଦ ଦୁଇଟି ୱିକେଟ୍ ନେଇଥିବା ବେଳେ ଖଲିଲ ଅହମଦ, ଅଂଶୁଳ କମ୍ବୋଜ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ୧-୧ ସଫଳତା ମିଳିଥିଲା।

ଟସ୍ ହାରି ବ୍ୟାଟିଂ କରିଥିବା ଚେନ୍ନାଇ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ବଲ୍‌ରେ ଶେଖ୍ ରଶିଦ୍ (୦)ଙ୍କୁ ଅଭିଷେକ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ମହମ୍ମଦ ଶମୀ ଚେନ୍ନାଇକର ପ୍ରଥମ ଝଟ୍‌କା ଦେଇଥିଲେ। ଏହାପରେ ୧୭ ବର୍ଷୀୟ ଆୟୁଷ ମାହାତ୍ରେ ସାମ୍ କରନ୍‌ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୨୯ ରନ୍ ଯୋଡ଼ିଥିଲେ। ସାମ୍ କରନ୍ (୯)ଙ୍କୁ ଆଉଟ୍ କରି ହର୍ଷଲ୍ ପଟେଲ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ଲୟରେ ଥିବା ଆୟୁଷ ନିଜ ଇନିଂସ୍‌କୁ ବଡ଼ କରିପାରି ନଥିଲେ। ୧୯ ବଲ୍‌ରେ ୬ ଚୌକା ସହାୟତାରେ ୩୦ ରନ୍ କରିଥିବା ବେଳେ ହାଇଦ୍ରାବାଦ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ତାଙ୍କୁ ବିଦା କରିଥିଲେ। ଆୟୁଷଙ୍କ ଆଉଟ୍ ବେଳକୁ ଚେନ୍ନାଇ ସ୍କୋର୍ ୩ ୱିକେଟ୍‌ରେ ୪୭ ରନ୍ ହୋଇଥିଲା। ଏହାପରେ ଡେଭାଲ୍ଡ ବ୍ରେଭିସ୍ ଓ ରବୀନ୍ଦ୍ର ଜାଡ଼େଜା ଇନିଂସ୍ ଆଗେଇ ନେଇଥିଲେ। ତେବେ କାମିନ୍ଦୁ ମେଣ୍ଡିସ୍ ନିଜ ସ୍ପିନ୍‌ରେ ଜାଡ଼େଜାଙ୍କୁ ଫସାଇଥିଲେ। ଜାଡ଼େଜା ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ୧୭ ବଲ୍‌ରେ ୨୧ ରନ୍ କରିଥିଲେ। ଜାଡ଼େଜାଙ୍କ ଆଉଟ୍ ପରେ ବ୍ରେଭିସ୍ କେତେକ ବଡ଼ ଶଟ୍ ଖେଳିଥିଲେ। ଚେନ୍ନାଇ ପକ୍ଷରୁ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ବ୍ରାଭିସ୍‌ଙ୍କୁ ହର୍ଷଲ୍ ପଟେଲ୍ ବିଦା କରିଥିଲେ। ବ୍ରେଭିସ୍ ୨୫ ବଲ୍‌ରେ ଗୋଟିଏ ଚୌକା ଓ ଚାରି ଛକା ସହାୟତାରେ ସର୍ବାଧିକ ୪୨ ରନ୍ କରିଥିଲେ। ଏହାପରେ ଶିଭମ୍ ଦୁବେ (୧୨) ଓ କ୍ୟାପ୍‌ଟେନ୍ ଧୋନି (୬) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଇମ୍ପାକ୍ଟ ପ୍ଲେୟର୍ ଭାବେ ଆସିଥିବା ଅଂଶୁଳ କମ୍ବୋଜ (୨) ଓ ନୁର୍ ଅହମଦ୍ (୨) ଯଥାକ୍ରମେ କମିନ୍ସ ଓ ହର୍ଷଲ୍‌ଙ୍କ ଶିକାର ହୋଇଥିଲେ। ଶେଷ ଆଡ଼କୁ ଦୀପକ ହୁଡ୍ଡା ଉପଯୋଗୀ ୨୨ ରନ୍ କରି ଚେନ୍ନାଇକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ। ହାଇଦ୍ରାବାଦ ପକ୍ଷରୁ ହର୍ଷଲ୍ ପଟେଲ୍ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ଓ ଜୟଦେବ ଉନାଦକତ୍‌ଙ୍କୁ ୨-୨ ସଫଳତା ମିଳିଥିଲା। କାମିନ୍ଦୁ ମେଣ୍ଡିସ ଓ ମହମ୍ମଦ ଶମୀ ୧-୧ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking