25.1 C
Bhubaneswar
Wednesday, March 25, 2026
Homeଅପରାଧପତ୍ନୀ ତଲାକ୍‌ ମାଗିବାରୁ ଏସିଡ ପକାଇଲେ ସ୍ୱାମୀ

ପତ୍ନୀ ତଲାକ୍‌ ମାଗିବାରୁ ଏସିଡ ପକାଇଲେ ସ୍ୱାମୀ

ମୁମ୍ବାଇ: ପରକିୟା ପ୍ରୀତିରେ ପତି ଲିପ୍ତ ଥିବା ସନ୍ଦେହ କଲେ ପତ୍ନୀ। ଏହାକୁ କେନ୍ଦ୍ର କରି ବୈବାହିକ ଜୀବନରେ ଝଡ଼ ହେବାରୁ ତଲାକ୍‌ ମାଗିଲେ ପତ୍ନୀ। ମାତ୍ର ଉତ୍ତ୍ୟକ୍ତ ହୋଇପଡ଼ିଥିବା ପତି ଘଟାଇଲେ ସାଂଘାତିକ କାଣ୍ଡ। ଯାହାକୁ ହାତ ଧରି ଜୀବନସାଥୀ କରିଥିଲେ ତାଙ୍କ ମୁହଁକୁ ପକାଇଲେ ଏସିଡ। ଏସିଡ ଆଟାକ୍‌ରେ ମହିଳାଙ୍କ ଚେହେରା ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏପରି ଏକ ନାରକୀୟ କାଣ୍ଡ ମୁମ୍ବାଇରେ ଘଟିଛି। ମୁମ୍ବାଇର ମାଲବଣି ଅଞ୍ଚଳରେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ରହୁଥିଲେ। ୫ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିବା ବେଳେ ପ୍ରଥମେ କିଛି ଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ଭଲ ଥିଲା। ମାତ୍ର ପରେ ବ୍ୟକ୍ତିଜଣକ ନିଶାଗ୍ରସ୍ତ ହେବା ସହ ଅନ୍ୟ ଯୁବତୀଙ୍କ ସହ ଅନୈତିକ ସମ୍ପର୍କରେ ଲିପ୍ତ ଥିବା ଜାଣିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା।

ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ଏଥିରେ ଅତିଷ୍ଠ ମହିଳାଜଣକ ନିଜ ବାପ ଘରକୁ ଚାଲି ଯାଇଥିବା ବେଳେ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ବ୍ୟକ୍ତିଜଣକ ନିଜ ଶ୍ୱଶୁର ଘରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବା ସହ ପରିସ୍ଥିତି ଅଣାୟତ୍ତ ହେଲା। ଏହାପରେ ବ୍ୟକ୍ତିଜଣକ ଉତ୍‌କ୍ଷିପ୍ତ ହୋଇ ପତ୍ନୀଙ୍କ ମୁହଁକୁ ଏସିଡ ପକାଇଥିଲେ। ମହିଳାଜଣକ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ବେଳେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking