ଢେଙ୍କାନାଳ: ହୋମ ନିଆଁଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହୋଇଥିଲେ । ସ୍ତ୍ରୀକୁ ମଦ୍ୟପ ଲୋକଙ୍କ କବଳରୁ ବଞ୍ଚାଇବାକୁ ଯାଇ ଜୀବନ ହରାଇବାକୁ ପଡିଛି ସ୍ୱାମୀ । ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ମୃତକ ହେଲେ କଙ୍କଡାହାଡ ଥାନା ରୁପାବେଡା ଗ୍ରାମର ଗଗନ ନାୟକ । ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଗଗନ ଓ ତାଙ୍କ ସ୍ତ୍ରୀ କାମ ସାରି କଙ୍କଡାହାଡରୁ ଫେରୁଥିବାବେଳେ ସେହି ଗ୍ରାମର ଜୁଆଙ୍ଗ ସାହିର ୩ ଜଣ ଯୁବକ ତାଙ୍କ ସ୍ତ୍ରୀକୁ ଟଣାଓଟରା କରୁଥିଲେ । ଏଥିରେ ଗଗନ ବିରୋଧ କରିବାରୁ ତିନି ଯୁବକ ଗଗନକୁ ନିସ୍ତୁକ ମାଡ ମାରିବା ସହ ମୁଣ୍ଡର ପଛପଟେ ପଥର ଛେଚି ଦେଇ ଫେରାର ହୋଇଯାଇଥିଲେ । ଗୁରତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗଗନକୁ କଙ୍କଡାହାଡ ମେଡିକାଲରେ ଭର୍ତ୍ତି କରିଥିଲେ ତାଙ୍କ ପତ୍ନୀ ପିଙ୍କି ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଆଜି କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ପରିବାର ଲୋକକୁ ହସ୍ତାନ୍ତର କରିଛି । ଏପଟେ ହତ୍ୟା ଘଟାଇଥିବା ତିନି ଅଭିଯୁକ୍ତ ଯୁବକ ଦିପୁ, ଶଙ୍କର ଓ ବିଟଲ ଫେରାର ଅଛନ୍ତି । ପୋଲିସ ତଦନ୍ତ ଜାରି ରହିଛି । ଏନେଇ ମୃତକଙ୍କ ପତ୍ନୀ ପିଙ୍କି ନାୟକ କହିଛନ୍ତି, ‘ସେ ଆଉ ତାଙ୍କ ସ୍ୱାମୀ ଗଗନ କାମରୁ ସନ୍ଧ୍ୟା ବେଳେ ଫେରୁଥିଲେ । ଏହି ସମୟରେ ତିନି ଅଭିଯୁକ୍ତ ଯୁବକ ଦିପୁ, ଶଙ୍କର ଓ ବିଟଲ ମୋତେ ଟଣାଓଟରା କରିଥିଲେ । ଏହାକୁ ବିରୋଧ କରିଥିଲେ ମୋ ସ୍ୱାମୀ । ସେମାନେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ପଥରରେ ଛେଚି ଦେଇଥିଲେ । ଆମେ ତାଙ୍କୁ ହସ୍ପିଟାଲ ଆଣିଲୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।