31.1 C
Bhubaneswar
Friday, February 13, 2026
Homeଓଡିଶାମାନବ ଚାଲାଣ ଅପରାଧ ନୁହେଁ, ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରେ: ଡିଜିପି

ମାନବ ଚାଲାଣ ଅପରାଧ ନୁହେଁ, ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରେ: ଡିଜିପି

ଭୁବନେଶ୍ୱର: ଆଜି ପୋଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ନ୍ୟାୟପାଳିକା, ପୋଲିସ, ମହିଳା ଓ ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ନ୍ୟାୟପାଳିକା ଓ ସମାଜର ସମସ୍ତ ବ୍ୟକ୍ତିବିଶେଷ ଏକତ୍ରିତ ହୋଇ କାର୍ଯ୍ୟ କଲେ ଏହି ଘୃଣ୍ୟ କାର୍ଯ୍ୟକୁ ରୋକିବାରେ ଆମେ ସଫଳ ହୋଇ ପାରିବା ବୋଲି ଡିଜିପି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।ଏହା ସହ ଆଗାମୀ ଦିନରେ ଏକତ୍ରିତ ହୋଇ ଓଡିଶାକୁ ମାନବ ଚାଲାଣ ବିରୋଧରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଆହ୍ଵାନ ଦେଇଥିଲେ ।

ମାନବ ଚାଲାଣ କେବଳ ଏକ ଅପରାଧ ନୁହେଁ ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରିଥାଏ । ବିଶେଷ କରି ମହିଳା, ଶିଶୁ ଓ ଯୁବବର୍ଗମାନଙ୍କୁ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଭବିଷ୍ୟତରୁ ବଞ୍ଚିତ କରିଥାଏ । ଓଡିଶାରେ ଯୌନ ଶୋଷଣ, ବାଧ୍ୟତାମୂଳକ ଶ୍ରମ, ଘରୋଇ ଶିଶୁ ଶ୍ରମ, ଏବଂ ଚାକିରି କିମ୍ବା ବିବାହର ଆଳରେ ଯୁବତୀମାନଙ୍କ ଚାଲାଣ ଭଳି ମାନବ ଚାଲାଣ ଦେଖିବାକୁ ମିଳିଥାଏ ।ମାନବ ଚାଲାଣ ରୋକିବାରେ ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖା (IAHTU) ଓ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। IAHTU ଅଧିକାରୀମାନେ ଅନୁସନ୍ଧାନ ଓ ଉଦ୍ଧାର କରିବାର ମେରୁଦଣ୍ଡ ସଦୃଶ । ଆଗାମୀ ଦିନରେ IAHTU କୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ମାନବ ସମ୍ବଳ ଯୋଗାଇ ଦେବା ସହ ଉପଯୁକ୍ତ ତାଲିମ ପ୍ରଦାନ ଓ ବୈଷୟିକ ଜ୍ଞାନ କୌଶଳରେ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ କରାଯାଉଛି । ଏହା ସହ ମାନବ ଚାଲାଣରେ ସମ୍ପୃକ୍ତ ଥିବା ରାଜ୍ୟଗୁଡିକ ସହ ଉପଯୁକ୍ତ ସମନ୍ବୟ ରଖାଯାଇ ଏହାକୁ ରୋକିବାରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଡିଜିଟାଲ୍ ଟ୍ରାକିଂ, ଡାଟା ଆନାଲିଟିକ୍ସ ଓ ନିରୀକ୍ଷଣ ମାଧ୍ୟମରେ ଚାଲାଣ ନେଟୱାର୍କକୁ ଭାଙ୍ଗିବା ଆମର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଡିଜିପି କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ , ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ବିଭିନ୍ନ ସମୟରେ ଅପରେସନ ଅନେଶ୍ବଣ ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ ୧୨୦୯ ଜଣ ନିଖୋଜ ଶିଶୁ ( ୧୩୧ ନାବାଳକ ଓ ୧୦୭୮ ନାବାଳିକା)ଙ୍କୁ ଉଦ୍ଧାର କରାଯାଇଥିଲା। ଏହା ସହ ୬୬୬୭ ନିଖୋଜ ମହିଳାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଆଗାମୀ ଦିନରେ ମଧ୍ୟ ଓଡ଼ିଶା ପୋଲିସ ତରଫରୁ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ଡିଜିପି କହିଥିଲେ ।ଏହି ସମ୍ମିଳନୀରେ ଡ଼. ପି. ଏମ.ନେୟାର (ଅବସରପ୍ରାପ୍ତ ଡିଜିପି, ଏନଡିଆରଏଫ), ଉପସ୍ଥିତ ରହି ମାନବ ଚାଲାଣ ସମ୍ପର୍କିତ ବିଭିନ୍ନ ଦିଗ, ଏହାର ପରିବର୍ତ୍ତିତ ପ୍ରବୃତ୍ତି ଏବଂ ଏହାର ପ୍ରତିକାର ସମ୍ପର୍କରେ କର୍ମଶାଳାରେ ଆଲୋକପାତ କରିଥିଲେ । ଉମି ଡାନିଏଲ ( ନିର୍ଦ୍ଦେଶକ, ମାଇଗ୍ରେସନ ଏବଂ ଏଜୁକେସନ) ଏହି କର୍ମଶାଳାରେ ଯୋଗ ଦେଇ ଶ୍ରମିକ ଚାଲାଣ ସମସ୍ୟା ଦମନ ପାଇଁ ପୋଲିସ, ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ, ସମାଜ ସେବା ବିଭାଗ ଆଦି ସମସ୍ତ ବିଭାଗ ମିଳି ମିଶି କାମ କରିବା ସହ ପୀଡ଼ିତ ଶ୍ରମିକଙ୍କୁ ଉଦ୍ଧାର, ପୁନର୍ବାସ ଓ ଆଇନ ସହାୟତା ଯୋଗାଇବାରେ ଏନଜିଓଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ସୁପ୍ରିମ କୋର୍ଟ, ଆଇନଜୀବୀ, ଶ୍ରୀ ରବି କାନ୍ତ ନିଖୋଜ ହୋଇଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପରିବାର ଓ ସମାଜ ସହିତ ଯୋଡ଼ିବା ଏବଂ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସହିତ ସମ୍ପୂର୍ଣ୍ଣ ନୂଆ ଜୀବନ ଯୋଗାଇ ଦେବା ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସଞ୍ଜୟ କୁମାର, ମାନବ ଚାଲାଣ ଓ ସାଇବର ଦାସତ୍ୱ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଇଣ୍ଟରନେଟ ଓ ଡିଜିଟାଲ ମାଧ୍ୟମରେ ମଣିଷମାନଙ୍କୁ ଠକି ନିଜ କାମ କରାଇବା କିମ୍ବା ଅନଲାଇନ୍ ମାଧ୍ୟମରେ ବଳପୂର୍ବକ ଅପରାଧମୂଳକ କାର୍ଯ୍ୟ କରାଇବା ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ଶ୍ରୀ ଅମିତ କୁମାର ନାଗ, (ଲିଡ଼ ଲିଗାଲ ପ୍ରୋଗ୍ରାମ ପାର୍ଟନରସିପ, ଇଣ୍ଟରନ୍ୟାସନାଲ ଜସ୍ଟିସ ମିଶନ) ପ୍ରମୁଖ ଉପସ୍ଥିତ ରହି ମାନବ ଚୋରା ଚାଲାଣ ରୋକିବାରେ ନାଗରିକ ସମାଜ ଯଥା ସ୍ଥାନୀୟ ସଂଗଠନ, ଏନଜିଓ, ସଭା ସମିତି ଓ ସଚେତନ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ଆଜିର ଏହି ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ର, ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଜି,( ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଶ୍ରୀ ଅବିନାଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରେ ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖାରେ କାର୍ଯରତ ଅଧିକାରୀ ମାନେ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking