ଭୁବନେଶ୍ୱର: ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ସବୁ ପ୍ରକାର ରାଜନୈତିକ ଆଲୋଚନା-ସମାଲୋଚନା ଭିତରେ ପୁଲିସର ପ୍ରତ୍ୟେକ ବିଭାଗ ନିଜ ନିଜ କର୍ତ୍ତବ୍ୟ ସଠିକ୍ ରୂପେ ସମ୍ପାଦନ କରି ଆସୁଛନ୍ତି। ଗତ ପ୍ରାୟ ୧୮ ମାସ ଭିତରେ ରାଜ୍ୟ ପୁଲିସର ଯଦି କେବଳ ଗୋଟିଏ ସଫଳତା ମୋତେ ପଚାରିବେ, ତେବେ ମୁଁ କହିବି, ‘କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି। ରାଜ୍ୟର ଶାସନର ମୁଖ୍ୟ ତଥା ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ସର୍ବପ୍ରଥମେ ଓଡ଼ିଶା ପୁଲିସ ସୂଚାରୁ ରୂପେ ନିଜର ଦାୟିତ୍ୱ ନିର୍ବାହ କରିଥିବାରୁ ଧନ୍ୟବାଦ ଜଣାଉଛି। ଗୁୁରୁବାର ବିଧାନସଭାରେ ଗୃହ ବିଭାଗର ୨୫୬.୭୯ କୋଟି ୭୯ ଲକ୍ଷ ୭୪ ହଜାର ଟଙ୍କାର ଅତିରିକ୍ତ ଅନୁଦାନ ଦାବି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେ’କୌଣସି ରାଜ୍ୟ ପାଇଁ ଗୃହ ବିଭାଗ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ।
କାରଣ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ, ତେବେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ ଏବଂ ନିବେଶ ପାଇଁ ଉଦ୍ୟୋଗପତିମାନେ ଆସିବେ। ତେଣୁ ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଆସୁଅଛି ଏବଂ ମୁଁ ବ୍ୟକ୍ତିଗତ ଭାବେ ପୁଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନର ମର୍ଯ୍ୟାଦା ମଧ୍ୟରେ ରହି ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଏହାର ଫଳାଫଳ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ପ୍ରତିଫଳିତ ହେଉଛି। ଓଡ଼ିଶାବାସୀ ସରକାରଙ୍କ ଏହି ଅପରାଧ ନିୟନ୍ତ୍ରଣ ପ୍ରତିବଦ୍ଧତା ବିଷୟରେ ହୃଦୟଙ୍ଗମ କରି ସାରିଲେଣି ଏବଂ ତାର ପ୍ରତିଫଳନ ନୂଆପଡ଼ା ଉପ-ନିର୍ବାଚନରେ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମଗ୍ରିକ ଭାବରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ଶାନ୍ତିପୂର୍ଣ୍ଣ ଅଛି। ଆମ ସରକାର ଶାସନକୁ ଆସିବାର ୧୫ ମାସ ଅର୍ଥାତ ୨୦୨୪ ଜୁଲାଇ ୧ରୁ ୨୦୨୫ ସେପ୍ଟେମ୍ବର ୩୦ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାକୁ ଯଦି ତାର ପୂର୍ବବର୍ତ୍ତୀ ୧୫ ମାସ ଅର୍ଥାତ ୨୦୨୩ ଏପ୍ରିଲ ୧ରୁ ୨୦୨୪ ଜୁନ ୩୦ ମଧ୍ୟରେ ହୋଇଥିବା ଉକ୍ତ ଅପରାଧକୁ ତୁଳନା କରାଯାଏ, ତେବେ ଅପରାଧ ସଂଖ୍ୟା ଅପେକ୍ଷାକୃତ ଭାବେ ସ୍ଥିର ରହିଛି ।
ଦୁଷ୍କର୍ମ ମାମଲା ୩.୩ % ହ୍ରାସ ପାଇଛି। ଅସଦାଚରଣ ମାମଲା ୧.୯ % ହ୍ରାସ ପାଇଛି। ଯୌନ ନିର୍ଯାତନା ମାମଲାରେ ୦.୭ % ସାମାନ୍ୟ ବୃଦ୍ଧି ପାଇଛି। ସର୍ବସାଧାରଣରେ ନିର୍ବସ୍ତ୍ର ମାମଲାରେ ୨୨.୨ % ହ୍ରାସ ପାଇଛି। ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ୬୬.୭ % ହ୍ରାସ ପାଇଛି। ମହିଳା ଚାଲାଣ ମାମଲାରେ ୨୪.୧ % ହ୍ରାସ ପାଇଛି। ଯୌତୁକ ହତ୍ୟା ମାମଲାରେ ୨୦.୬ % ହ୍ରାସ ପାଇଛି। ଯøତୁକ ନିର୍ଯାତନା ମାମଲାରେ ୭.୨ % ହ୍ରାସ ପାଇଛି। ସେହିଭଳି, ଉକ୍ତ ସମୟସୀମା ମଧ୍ୟରେ କେତେକ ପ୍ରମୁଖ ଅପରାଧ ଶୀର୍ଷକରେ ମାମଲା ସଂଖ୍ୟା ହ୍ରାସ ପାଇଛି। ହତ୍ୟା ୬.୧ % ହ୍ରାସ ପାଇଛି। ଡକାୟତି ୫.୫ % ହ୍ରାସ ପାଇଛି। ଲୁଟ୍ ୩୩.୮ % ହ୍ରାସ ପାଇଛି।ଦଙ୍ଗା ୨୨.୨ % ହ୍ରାସ ପାଇଛି। ମାନବ ଚାଲାଣ ଓ ଶିଶୁ ନିଖୋଜ ସମସ୍ୟାର ମୁକାବିଲା କରିବା ପାଇଁ ଆମ ଓଡ଼ିଶାର ୩୬ଟି ପୁଲିସ ଜିଲ୍ଲାରେ ୩୬ଟି ସମନ୍ୱିତ ମାନବ ଚାଲାଣ ପ୍ରତିରୋଧ ଶାଖା ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାରେ ଗୋଟିଏ ସମନ୍ୱିତ ମାନବ ଚାଲାଣ ପ୍ରତିରୋଧ ଶାଖା କାର୍ଯ୍ୟ କରୁଛି ।
ନିଖୋଜ ମହିଳା ଓ ଶିଶୁ ମାନଙ୍କର ଉଦ୍ଧାର ପାଇଁ ପୁଲିସ ତରଫରୁ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା ଉପକୂଳ ସୁରକ୍ଷାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଆର୍ôଥକ ବର୍ଷ ୨୦୨୫-୨୬ ର ସାଧାରଣ ବଜେଟରୁ ୧୪୯.୯୬ କୋଟି ଟଙ୍କାର ଅଭୂତପୂର୍ବ ପାଣ୍ଠି ଅନୁମୋଦନ କରିଛନ୍ତି। ସମୁଦ୍ର ଉପକୂଳ ସର୍ଭେଲାନ୍ସ ପାଇଁ ୧୦ଟି ଉନ୍ନତମାନର ଡ୍ରୋନ କ୍ରୟ କରାଯାଇ ନିଯୋଜିତ କରାଯାଇଛି। ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ଗୃହ ବିଭାଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକ ସୁଦୃଢ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ଓ ସର୍ବବିଧ ବିକାଶ ପାଇଁ ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।










