ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ନାବାଳିକା ହକି ଖେଳାଳିଙ୍କ ସହିତ ଦୁଷ୍କର୍ମର ଏକ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ନିଜ କୋଚଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଦୁଷ୍କର୍ମକାରୀ କୋଚଙ୍କ ନାମ ଭାନୁ ଅଗ୍ରୱାଲ ବୋଲି ଜଣାପଡ଼ିଛି। ହରିଦ୍ୱାରର ସିଡକୁଲ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି।
ଦୁଷ୍କର୍ମକାରୀ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬ ଓ ପସ୍କୋ ଆକ୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରି ତାଙ୍କୁ ପଦରୁ ନିଲମ୍ବନ କରିଛି। କିଛିଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଖେଳ ହକିର ଆୟୋଜନର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିମନ୍ତ୍ରଣ କରି ଫେରିଛନ୍ତି। ହରିଦ୍ୱାରରେ ଥିବା ହକି ଷ୍ଟାଡିୟମ ପ୍ରସିଦ୍ଧ ହକି ମହିଳା ହକି ଖେଳାଳି ବନ୍ଦନା କଟାରିୟାଙ୍କ ନାମରେ ନାମିତ। ଏଭଳି ସମୟରେ ହକି ଖେଳାଳିଙ୍କୁ ଦୁଷ୍କର୍ମ କରାଯିବା ଘଟଣା ସମସ୍ତଙ୍କୁ ନିରାଶ କରି ଦେଇଛି। ଏହି ଘଟଣା ମହିଳା ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।