ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସୀ ଠାରେ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ହସ୍ପିଟାଲରେ ନଭେମ୍ବର ୧୫ରେ ଶିଶୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଥିଲେ। ୩୭ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ବାହାରକୁ ଅଣାଯାଇଥିଲା। ତେବେ ୩୭ ଶିଶୁଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ବାହାରକୁ ଆଣିବାରେ ଜଣେ ଷ୍ଟାଫ୍ ନର୍ସ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ, ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ଯେତେବେଳେ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ଜୀବନ ବିକଳରେ ହସ୍ପିଟାଲ ବାହାରକୁ ବାହାରିିଯିବା ପାଇଁ ଦୌଡି ପଳାଇଥିଲେ ସେତେବେଳେ ନିଜ ଜୀବନକୁ ବିପନ୍ନ କରି ଏହି ଷ୍ଟାଫ୍ ନର୍ସଜଣକ ଅନେକ ପିଲାମାନଙ୍କ ଜୀବନ ବଞ୍ଚାଇଥିଲେ। ଏହି ଷ୍ଟାଫ୍ ନର୍ସଙ୍କ ନାମ ମେଘା ଜେମ୍ସ। ସେ ନିଜ ଜୀବନକୁ ବାଜି ଲଗାଇ ଶିଶୁଙ୍କୁ ଜୀବନ ବଞ୍ଚାଇବାକୁ ଲାଗିପଡ଼ିଥିଲେ। ସେ ନିଜ ଉଦ୍ୟମ ବଦଳରେ ପ୍ରାୟ ୧୫ରୁ ଅଧିକ ସଂଖ୍ୟକ ଶିଶୁଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ସଫଳ ହୋଇଥିଲେ। ପିଲାମାନଙ୍କୁ ବଞ୍ଚାଇବା ଉଦ୍ୟମରେ ତାଙ୍କ ପାଦ ଜଳିଯାଇଥିଲା, କିନ୍ତୁ ସେ ସେସବୁକୁ ଭୃକ୍ଷେପ କରି ପିଲାମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବାରେ ଲାଗିଥିଲେ। ଏଭଳି ଜଣେ ସାହସୀ ଏବଂ ସେବାମନୋଭବ ପରାୟଣା ନର୍ସଙ୍କୁ ପୁରସ୍କୃତ କରିବାକୁ ଦାବି କରାଯାଉଛି।










