20.1 C
Bhubaneswar
Monday, December 22, 2025
Homeଦେଶ ବିଦେଶପାକିସ୍ତାନକୁ ହିମନ୍ତଙ୍କ କଡ଼ା ଜବାବ

ପାକିସ୍ତାନକୁ ହିମନ୍ତଙ୍କ କଡ଼ା ଜବାବ

ଗୌହାଟୀ: ନିକଟରେ ଚୀନ୍ ଭାରତକୁ ଚେତାବନୀ ଦେଇଥିଲା ଯେ, ଭାରତ ଏବେ ପାକିସ୍ତାନ ସହ ଯାହା କରୁଛି ଯଦି ଏହା ଭାରତ ସହ ଘଟେ ତେବେ କ’ଣ ହେବ । ଭାରତ ପାକିସ୍ତାନକୁ ସିନ୍ଧୁ ଜଳ ବନ୍ଦ କରିବା ପ୍ରସଙ୍ଗରେ ଭାରତକୁ ନାଲିଆଖି ଦେଖାଇବାକୁ ଯାଇ ଚୀନ୍ ଏପରି କିଛି କହିଥିଲା । ତେବେ ଚୀନ୍‌ର ଏପ୍ରକାର ବିବୃତ୍ତି ଆସିବା ପରେ ପରେ ପାକିସ୍ତାନ ମଧ୍ୟ ଚେତାବନୀ ଦେଇ କହିଛି ଯେ, ଯଦି ଚୀନ୍ ଭାରତକୁ ବ୍ରହ୍ମପୁତ୍ର ନଦୀର ଜଳ ପ୍ରବାହ ବନ୍ଦ କରିଦିଏ ତେବେ କ’ଣ ହେବ? ପାକିସ୍ତାନର ଏପ୍ରକାର ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ହିମନ୍ତ କହିଛନ୍ତି, ଯେ ସିନ୍ଧୁ ଜଳ ଚୁକ୍ତିନାମାରୁ ଦୀର୍ଘ ସମୟ ଧରି ଲାଭ ପାଇଥିବା ପାକିସ୍ତାନ ଏବେ ଭାରତକୁ ତା’ର ନ୍ୟାଯ୍ୟ ଜଳ ସାର୍ବଭୌମତ୍ୱ ପୁନଃପ୍ରାପ୍ତ କରିବା ବିଷୟରେ “ଭୟଭୀତ’ ହୋଇପଡିଛି । ଚୀନ୍ ଭାରତକୁ ବ୍ରହ୍ମପୁତ୍ର ଜଳ ଛାଡିବା ନଛାଡିବା ଭାରତ ପାଇଁ କୌଣସି ମହତ୍ତ୍ୱ ରଖେ ନାହିଁ । କାରଣ ବ୍ରହ୍ମପୁତ୍ର ନଦୀଜଳର ମାତ୍ର ୩୦ରୁ ୩୫% ହିଁ ଭାରତକୁ ଆସିଥାଏ । ଭାରତରେ ନଦୀଙ୍କ ସଂଖ୍ୟା କମ୍ ନାହିଁ କିମ୍ବା ଜଳରାଶିର ଅଭାବ ନାହିଁ । ହିମନ୍ତ ପାକିସ୍ତାନର ସଦ୍ୟତମ ଜଳ-ସମ୍ବନ୍ଧୀୟ ଭୟଭୀତାକୁ ଖଣ୍ଡନ କରିଛନ୍ତି, ଏହାକୁ ବ୍ରହ୍ମପୁତ୍ର ନଦୀ ସହିତ ଜଡିତ ଏକ କାଳ୍ପନିକ ପରିସ୍ଥିତି ଉପରେ ଭୟ ସୃଷ୍ଟି କରିବାର ଏକ ‘ଭିତ୍ତିହୀନ ପ୍ରୟାସ’ ବୋଲି କହିଛନ୍ତି ।

ହିମନ୍ତ ଏଠାରେ ବିଜ୍ଞାନ ସମ୍ମତ ତଥା ଭୌଗୋଳ କାରଣ ସମ୍ପର୍କରେ ମଧ୍ୟ କହିଛନ୍ତି । ହିମନ୍ତଙ୍କ ଅନୁଯାୟୀ, ଭାରତୀୟ ନଦୀଗୁଡ଼ିକରେ ଜଳ ପ୍ରବାହ ୬୫ରୁ ୭୦% ଭାରତରେ ମୌସୁମୀ ବର୍ଷା ମାଧ୍ୟମରେ ସୃଷ୍ଟି ହୁଏ ଏବଂ ଉତ୍ତର-ପୂର୍ବରେ ଏହାର ଅନେକ ଉପନଦୀରେ ଏହା ପ୍ରବାହିତ ହୁଏ । ଜଳବିଜ୍ଞାନ ତଥ୍ୟ ଉଦ୍ଧୃତ କରି ଶ୍ରୀ ଶର୍ମା କହିଛନ୍ତି ଯେ, ଭାରତ-ଚୀନ୍ ସୀମା (ଟୁଟିଂ) ରେ ନଦୀ ପ୍ରବାହ ହାରାହାରି ପ୍ରତି ସେକେଣ୍ଡରେ ୨,୦୦୦ ରୁ ୩,୦୦୦ ଘନ ମିଟର ମଧ୍ୟରେ ହୋଇଥାଏ, କିନ୍ତୁ ଏହା ବର୍ଷା ସମୟରେ ଆସାମରେ ପ୍ରତି ସେକେଣ୍ଡରେ ୧୫,୦୦୦-୨୦,୦୦୦ ଘନ ମିଟର ପର୍ଯ୍ୟନ୍ତ ନାଟକୀୟ ଭାବରେ ବୃଦ୍ଧି ପାଏ, ଯାହା ନଦୀର ପ୍ରବାହରେ ଭାରତର ପ୍ରମୁଖ ଅବଦାନର ପ୍ରମାଣ । ସବୁଠୁ ବଡ଼କଥା ହେଉଛି “ବ୍ରହ୍ମପୁତ୍ର ଏପରି ଏକ ନଦୀ ନୁହେଁ ଯାହା ଉପରେ ଭାରତ ନିର୍ଭରଶୀଳ । ଏହା ଏକ ବର୍ଷା ଉପରେ ନିର୍ଭରଶୀଳ ଭାରତୀୟ ନଦୀ ପ୍ରଣାଳୀ, ଯାହାକୁ ଚୀନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରେ ସୁଦୃଢ଼ କରାଯାଇଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ବ୍ରହ୍ମପୁତ୍ର ନଦୀ ଯାହା ଭାରତରେ ବଢ଼େ, ଉପରମୁଣ୍ଡରେ ନିୟନ୍ତ୍ରଣ କରାଯିବା ଯୋଗୁଁ ଏହା ସଙ୍କୁଚିତ ହୁଏ ନାହିଁ ।

ହିମନ୍ତ କହିଛନ୍ତି, ଏହାସତ୍ତ୍ୱେ ଯଦି ବି ପାକିସ୍ତାନ କଥାରେ ପଡ଼ି ଚୀନ୍ ବ୍ରହ୍ମପୁତ୍ର ନଦୀଜଳକୁ ଭାରତକୁ ଛାଡିବା ଉପରେ ରୋକ୍ ଲଗାଏ ତଥାପି ଏହା ଭାରତର ଆସାମ୍ ସମେତ ଏକାଧିକ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ବରଦାନ ସାବ୍ୟସ୍ତ ହେବ । କାରଣ ଚୀନ୍‌ର ଏହି ପଦକ୍ଷେପ ଆସାମ ଏବଂ ପଡୋଶୀ ରାଜ୍ୟଗୁଡ଼ିକରେ ବାରମ୍ବାର ବନ୍ୟା ପରିସ୍ଥିତିକୁ ଅନେକାଂଶରେ ହ୍ରାସ କରିବ ଯାହାକି ଭାରତକୁ ଲାଭଦାୟକ ହେବ । ପ୍ରକାଶ, ବ୍ରହ୍ମପୁତ୍ରରେ ବନ୍ୟା ପରିସ୍ଥିତି ଯୋଗୁ ପ୍ରତିବର୍ଷ ଏସବୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରିବାକୁ ପଡ଼ିଥାଏ । ତେବେ ଚୀନ୍ କେବେବି ଆନୁଷ୍ଠାନିକ ଭାବରେ ବ୍ରହ୍ମପୁତ୍ରକୁ ଭାରତ ଏବଂ ନିଜ ମଧ୍ୟରେ ଅସ୍ତ୍ର କରିବାକୁ ଧମକ ଦେଇନାହିଁ । କେବଳ ପାକିସ୍ତାନ କିଛି ନଜାଣି ଏହାକୁ ନେଇ ଏକ କାଳ୍ପନିକ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking