କୁଲୁ: ବାଦଲଫଟା ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା କୁଲୁ ଏବଂ କାଙ୍ଗଡ଼ାକୁ ଗୁରୁତର ଭାବରେ ପ୍ରଭାବିତ କରିଛି, ଯାହା ଫଳରେ ଦୁଇଟି ଜିଲ୍ଲାରେ ଅନେକ ଘର, ରାସ୍ତା ଏବଂ ବିଦ୍ୟୁତ୍ ସଂଯୋଗ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଏହି ସମୟ ସୁଦ୍ଧା ୫ଜଣ ମୃତ୍ୟୁବରଣ କରିଥିବା ମଧ୍ୟ ସ୍ପଷ୍ଟ ହୋଇଛି । ସେହିପରି ଅନେକ ଲୋକ ଏବେ ବି ନିଖୋଜ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଗୁରୁବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ମୁଷଳଧାରାରେ ବର୍ଷା ଏବଂ ପରବର୍ତ୍ତୀ ବନ୍ୟା କୁଲୁ ଏବଂ କାଙ୍ଗଡ଼ା ଜିଲ୍ଲାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଖୋଜଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଅଭିଯାନ ଚଳାଇଛନ୍ତି ଏବଂ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି । ରିଲିଫ୍ ସାମଗ୍ରୀ ବଣ୍ଟନ ସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । କାଙ୍ଗଡ଼ା ଜିଲ୍ଲାର ମନୁନୀ ଖଡ୍ଡ ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ଏହା ସହିତ, ଧର୍ମଶାଳା ନିକଟସ୍ଥ ଏକ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରକଳ୍ପରେ କାମ କରୁଥିବା ୨୫ଜଣ ଶ୍ରମିକ ବନ୍ୟା ଯୋଗୁଁ ଭାସି ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି ।
ସେହିପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବର୍ଷାଗ୍ରସ୍ତ ହିମାଚଳ ପ୍ରଦେଶର ପରିସ୍ଥିତିକୁ “ଅତ୍ୟନ୍ତ ଦୁଃଖଦ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପାଣିପାଗ ସତର୍କତାକୁ ଧ୍ୟାନ ଦେବାକୁ ଏବଂ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଟ୍ୱିଟରରେ ଏକ ପୋଷ୍ଟରେ ସେ କହିଛନ୍ତି, “ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତି ଏବଂ ଅନେକ ଲୋକଙ୍କ ନିଖୋଜ ଖବର ଅତ୍ୟନ୍ତ ଦୁଃଖଦ । ଈଶ୍ୱର ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ଜାରି ରହିଥିବା ବର୍ଷା ଯୋଗୁଁ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତି ଉପରେ ଦୁଃଖ ପ୍ରକାଶ କରିଥିଲେ । ଏହି ସମୟରେ, ଭାରତ ପାଣିପାଗ ବିଭାଗ (ଆଇଏମ୍ଡି) ଜୁନ୍ ୨୫ ରୁ ଜୁଲାଇ ୧ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ପଞ୍ଜାବ, ହରିଆଣା, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ।