14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକଲେଜ ପରିସରରେ ହିଜାବ-ବୁର୍ଖା ବ୍ୟାନ୍ ପ୍ରସଙ୍ଗ: କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

କଲେଜ ପରିସରରେ ହିଜାବ-ବୁର୍ଖା ବ୍ୟାନ୍ ପ୍ରସଙ୍ଗ: କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ: “ତୁମେ କିପରି ପାଠପଢ଼ା ପିଲାମାନଙ୍କୁ ହିଜାବ୍‌, ବୁର୍ଖା ଆଦି ନ ପିନ୍ଧି ଆସିବାକୁ ସର୍କୁଲାର ଜାରି କରିପାରିବ । ଯଦି ଏପରି ନିର୍ଦ୍ଦେଶ ଜାରି କରାଯାଇଛି ତେବେ ସବୁ ଧର୍ମର ପିଲାମାନଙ୍କ ପାଇଁ କାହିଁକି ଏହି ନିୟମ ଲାଗୁ କରିନାହଁ? କଲେଜ୍‌ରେ ଯଦି ହିଜାବ, ବୁର୍ଖା ଉପରେ ବ୍ୟାନ୍ ଲଗାଇପାରୁଛି ତେବେ ବିନ୍ଦି-ତିଲକ ଲଗାଇବାକୁ କାହିଁକି ବ୍ୟାନ୍ କରୁନ?” ଶୁକ୍ରବାର ଏକ ମାମଲାର ଶୁଣାଣି କରିବା ଅବସରରେ ଏପ୍ରକାର କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ।

ମୁମ୍ବାଇର ଚେମ୍ବୁର ସ୍ଥିତ ଏନ୍‌ଜି ଆଚାର୍ଯ୍ୟ ଏବଂ ଡିକେ ମରାଠୀ ନାମକ ଦୁଇଟି କଲେଜ୍‌ରେ ହିଜାବ୍‌, ବୁର୍ଖା ଆଦି ନ ପିନ୍ଧି ଆସିବାକୁ ସର୍କୁଲାର ଜାରି କରାଯାଇଥିଲା । ତେବେ ଏହାକୁ ବିରୋଧ ପୂର୍ବକ ଏନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ଏହା ଉପରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମାଧବୀ ଦିଭାନ କହିଥିଲେ, ଯଦି ଝିଅମାନଙ୍କୁ ବୁର୍ଖା, ହିଜାବ, ନକାବ, କ୍ୟାପ୍ ଏବଂ ଷ୍ଟଲ୍ ଆଦି ପିନ୍ଧି ଆସିବାକୁ ଅନୁମତି ଦିଆଯାଏ, ତେବେ ଅନ୍ୟ ଧର୍ମର ଛାତ୍ରୀମାନେ ମଧ୍ୟ ଗେରୁଆ ଚାଦର ପିନ୍ଧି ଆସିବେ, ଯାହା ରାଜନୈତିକ ଦୃଷ୍ଟିକୋଣ ସୃଷ୍ଟି କରିପାରେ । ଯଦି ଜଣେ ଝିଅ କୌଣସି ଭିନ୍ନ ଧରଣର ପୋଷାକ ପରିଧାନ କରି ଆସୁଛନ୍ତି, ତେବେ ତାହା ଅନ୍ୟମାନଙ୍କ ସହ ମିଳାମିଶା କରିବାରେ ପ୍ରତିବନ୍ଧକ ସୃଷ୍ଟି କରିବ । ଏହା ଧାର୍ମିକ ଭେଦଭାବ ମଧ୍ୟ ସୃଷ୍ଟି କରିପାରେ । ତେଣୁ ଛାତ୍ରୀମାନଙ୍କୁ କଲେଜ ପ୍ରବେଶ କରିବା ପୂର୍ବରୁ ହିଜାବ କିମ୍ବା ବୁର୍ଖା ବଦଳାଇବାକୁ କଲେଜରେ ରୁମ୍ ବ୍ୟବସ୍ଥା କରାଯାଇଛି ।

କଲେଜ ପରିସରରେ ଏସବୁ ନଘଟୁ ଏବଂ ଶିକ୍ଷାନୁଷ୍ଠାନରେ ଏକକ ଡ୍ରେସକୋଡ୍ ନିୟମ ରହୁ ବୋଲି କଲେଜ କର୍ତ୍ତୃପକ୍ଷ ଏପରି ସର୍କୁଲାର ଜାରି କରିଛନ୍ତି ବୋଲି ଆଡଭୋକେଟ୍ ମାଧବୀ ଦିଭାନ୍ କହିଥିଲେ । ଏପ୍ରକାର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଉପରୋକ୍ତ ବିବୃତ୍ତି ରଖିଛନ୍ତି ଏବଂ କଲେଜ କର୍ତ୍ତୃପକ୍ଷଙ୍କ ଏପ୍ରକାର ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ଖଣ୍ଡପୀଠ ନିଜ ବିବୃତିରେ କହିଛନ୍ତି, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏପରି ନିଷେଧାଦେଶ ଲାଗୁ ହେବା ଦୁର୍ଭାଗ୍ୟଜନକ । ଦେଶର ଝିଅମାନଙ୍କୁ ସେମାନେ କଣ ପିନ୍ଧିବେ କହି କିପରି ସେମାନଙ୍କୁ ସଶକ୍ତକରଣ କରୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ଅଦାଲତ କହିଛନ୍ତି, କଲେଜକୁ ଝିଅମାନେ ହିଜାବ, କ୍ୟାପ୍‌, ଷ୍ଟଲ୍ ଇତ୍ୟାଦି ପିନ୍ଧି ଆସିପାରିବେ, ଏହି ଆଦେଶର ଅପବ୍ୟବହାର ହୋଇପାରିବ ନାହିଁ । ଏଥିସହ ସୁପ୍ରିମକୋର୍ଟ ଆଜି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାର ଉପରେ ଷ୍ଟେ’ ବା ସ୍ଥଗିତାଦେଶ ଲାଗୁ କରିଦେଇଛନ୍ତି । ଝିଅମାନେ କଣ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କ ଉପରେ ଛାଡ଼ିଦେବା ଉଚିତ୍ । ସେମାନଙ୍କ ପସନ୍ଦ ଅନୁସାରେ, ସେମାନେ ପିନ୍ଧିପାରିବେ । ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କପୁରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି ।

ମୁମ୍ବାଇର ଚେମ୍ବୁର ସ୍ଥିତ ଏନଜି ଆଚାର୍ଯ୍ୟ ଓ ଡିକେ ମରାଠୀ କଲେଜରେ ଝିଅମାନଙ୍କୁ ବୁର୍କା, ହିଜାବ, ନିକାବ, କ୍ୟାପ୍ ଏବଂ ଷ୍ଟଲ୍ ପିନ୍ଧି ଆସିବାକୁ ବାରଣ କରାଯାଇଥିଲା । ଏହାକୁ ନେଇ ପ୍ରାୟ ୯ ମୁସଲିମ୍ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking