25.1 C
Bhubaneswar
Wednesday, February 11, 2026
Homeଓଡିଶାପାଠାଗାରରେ ଅନୁମୋଦିତ ପଦବି ଖାଲି ପଡିବା ମାମଲା; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ପାଠାଗାରରେ ଅନୁମୋଦିତ ପଦବି ଖାଲି ପଡିବା ମାମଲା; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ରାଜ୍ୟରେ ପାଠାଗାରରେ ଅନୁମୋଦିତ ପଦବି ଖାଲି ପଡିବା ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆବେଦନକାରୀ ପ୍ରବୀର୍ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ବି. ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଏବଂ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଛନ୍ତି । ଆସନ୍ତା ମଇ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଥାଉକି ଓଡ଼ିଶା ସାର୍ବଜନୀକ ପାଠାଗାର ଅଧିନିୟମ,୨୦୦୧ ପ୍ରଣୀତ ହେବାର ବହୁବର୍ଷ ପରେ ଓଡ଼ିଶା ସାର୍ବଜନୀକ ପାଠାଗାର ନିୟମାବଳୀ,୨୦୧୬ ପ୍ରଣୟନ ହୋଇଥିଲା। ୨୦୨୩ ଅକ୍ଟୋବର ମାସରେ ରାଜ୍ୟ ସରକାର ଓଡ଼ିଶା ପାଠାଗାର ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଲେ। କିନ୍ତୁ ଅଧିନିୟମର ଅନ୍ୟ ବ୍ୟବସ୍ଥା ଗୁଡ଼ିକ କାର୍ଯ୍ୟକାରୀ କରିବାରେ ଅବହେଳା କଲେ ।

ଅଧିନିୟମର ଧାରା -୩ ଅନୁସାରେ ଓଡ଼ିଶା ପାଠାଗାର ପରିଷଦ, ଧାରା -୪ ଅନୁସାରେ ଓଡ଼ିଶା ପାଠାଗାର କର୍ତ୍ତୃପକ୍ଷ ଗଠିତ ହେଲାନାହିଁ । ଏପରିକି ଧାରା-୧୨ ଅନୁସାରେ ଓଡ଼ିଶା ପାଠାଗାର ପାଣ୍ଠି ମଧ୍ୟ ପ୍ରତିଷ୍ଠିତ ହୋଇନାହିଁ । ଜିଲ୍ଲା ସ୍ତରରେ ସାର୍ବଜନୀକ ପାଠାଗାର କେମିତି ମଧ୍ୟ ଗଠିତ ହୋଇନାହିଁ ଏବଂ ରାଜ୍ୟର ସାର୍ବଜନୀକ ପାଠାଗାରସମୂହରେ ଅନେକ ଅନୁମୋଦିତ ପଦବି ଖାଲି ପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଅନୁମୋଦିତ ୫୮ ପଦରୁ ୪୩ ପଦ ଖାଲି ପଡ଼ିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାର୍ବଜନୀକ ପାଠାଗାର ଅଧିନିୟମ ଓ ନିୟମାବଳୀକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ସହିତ ରାଜ୍ୟ ସ୍ତରୀୟ ପାଠାଗାର ପରିଷଦ, ପାଠାଗାର କର୍ତ୍ତୃପକ୍ଷ, ପାଠାଗାର ପାଣ୍ଠି ପ୍ରତିଷ୍ଠା କରିବାକୁ , ଜିଲ୍ଲା ପାଠାଗାର କମିଟି ଗଠନ କରିବା ଏବଂ ରାଜ୍ୟ ପାଠାଗାର ସମେତ ସମସ୍ତ ସାର୍ବଜନୀକ ପାଠାଗାରରେ ଖାଲି ପଦରେ ନିଯୁକ୍ତି ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking