କଟକ: ଯୋଗ୍ୟ ବେକାର ଯୁବକ ଯୁବତୀଙ୍କୁ ସୁଯୋଗ ନ ଦେଇ ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ନ କରି ତଥା ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ବେକାର ଯୁବ ବର୍ଗଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଆଜି ଉଦବେଗ ପ୍ରକାଶ କରିଛନ୍ତି। ଏଥି ସହିତ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେତେ ଶିକ୍ଷକ ପଦବି ଖାଲି ପଡ଼ିଛି ସେ ନେଇ ତଥ୍ୟ ଦାଖଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖାଲି ପଡ଼ିଥିବା ପଦବି ଗୁଡ଼ିକ ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଅବଗତ କରିବାକୁ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ପିତା ପ୍ରିୟଦର୍ଶିନୀ ଓ ଅନ୍ୟ ତିନି ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅକ୍ଟୋବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ସରକାରୀ, ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ସଂସ୍କୃତ ଟୋଲ ଗୁଡ଼ିକରେ ୨୦୨୫-୨୬ ଶିକ୍ଷା ବର୍ଷରେ ୬୩୮୭ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ୨୦୨୫, ଅଗଷ୍ଟ ୧ର ଗଣଶିକ୍ଷା ବିଭାଗ ଚିଠିରେ କୁହାଯାଇଥିଲା। ଏହି ଚିଠି ଆଧାରରେ କେତେକ ଜିଲ୍ଲାରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମଧ୍ୟ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ନ କରି ଏପରି ଭାବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି।
ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି ଯେ ଶିକ୍ଷା ଅଧିକାର ଆଇନ ଓ ଏନସିଟିଇ ନିୟମାବଳୀ ଉଲ୍ଲଂଘନ କରି ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଅବସରପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନାହିଁ। ବେକାର ଉଚ୍ଚଶିକ୍ଷିତ ଯୁବ ବର୍ଗ ପାଇଁ ଏପରି ସରକାରୀ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରୁଛି। ତେଣୁ ୬୩୮୭ ଅତିଥି ଶିକ୍ଷକ ନିଯୁକ୍ତି ସଂପର୍କିତ ନିଷ୍ପତ୍ତିକୁ ରଦ୍ଦ କରାଯାଉ। ଏପରି ନିଷ୍ପତ୍ତି ଆଧାରରେ ପ୍ରଦାନ କରାଯାଇଥିବା ନିଯୁକ୍ତିକୁ ରଦ୍ଦ କରାଯିବା ସହିତ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୩୮୭ ପଦ ପୂରଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।










