କଟକ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୪୨୪ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପକ୍ଷରେ ୬ଟି ଜିଲ୍ଲାରେ ଏହି ଏହି ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଛି ବୋଲି ପୂର୍ବରୁ ସରକାର ଦର୍ଶାଇଥିବା ବେଳେ ସାନି ସ୍ଥିତି ନେଇ ୨୦୨୫ ମାର୍ଚ୍ଚ ୬ରେ ହାଇକୋର୍ଟ ମାଗିଥିବା ଜବାବ ସମ୍ପର୍କରେ ସରକାର କୌଣସି ତଥ୍ୟ ଦେଇ ପାରି ନାହାନ୍ତି । ପରବର୍ତ୍ତୀ ଶୁଣାଣି ସମୟରେ ବରଗଡ଼, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲା ସମ୍ପର୍କିତ ଷ୍ଟାଟସ ରିପୋର୍ଟ ନିଶ୍ଚିତ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କଡ଼ା ନିଦେ୍ର୍ଧଶ ଦେଇଛନ୍ତି ।
୬ଟି ଜିଲ୍ଲାରେ ଚାଲିଥିବା ତଦନ୍ତରୁ କ’ଣ ଫଳାଫଳ ମିଳିଛି ଏବଂ ଏବେ ସାନି ସ୍ଥିତି କ’ଣ ରହିଛି ସେ ନେଇ ଅବଗତ କରିବାକୁ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ଜଷ୍ଟିସ ବି. ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସଞ୍ଜୟ କୁମାର ମହାରଣାଙ୍କ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମେ ୬କୁ ମାମଲାର ପରବତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଗତ ମାର୍ଚ୍ଚ ୬ରେ ଦାଖଲ ସତ୍ୟପାଠରେ ରହିଥିବା ତଥ୍ୟ ଉପରେ ଆମିକସ କୁ୍ୟରି ପକ୍ଷ ରଖିଥିଲେ । ଜାଲ ଶିକ୍ଷକ ସମ୍ପର୍କିତ ତିନୋଟି ଜିଲ୍ଲାର ଷ୍ଟାଟସ ରିପୋର୍ଟ ଉପଲବ୍ଧ ନଥିବା ଆମିକସ କୁ୍ୟରି ଦର୍ଶାଇଥିଲେ । ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ଆସୁଥିବା ସରକାରୀ ଅର୍ଥ ହଡ଼ପ ନେଇ ଅଭିଯୋଗ ବା ରିପୋର୍ଟ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା । ମାମଲାରେ ଆମିକସ କୁ୍ୟରୀ ଭାବେ ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଥିଲେ ।