ଭୁବନେଶ୍ୱର: ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଲାଗି ରହିଛି । ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଠାରୁ ବର୍ଷା ଆହୁରି ବଢ଼ିବ । ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଓ ପବନ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସତର୍କତା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ଘଣ୍ଟାପ୍ରତି ୫୦-୬୦ କିମି ବେଗରେ ପବନ ବହିବ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ସେହିପରି କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୪୦-୫୦ କିମି ରହିବ । ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିବ । ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ପାଇଁ କେନ୍ଦ୍ରାପଡ଼ା, ଜଗତସିହଂପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୫୦-୬୦ କିମି ରହିବ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଅଧିକ ରହିବ ।
ସେହିପରି ୨୨ ତାରିଖ ଅପରାହ୍ନ ବେଳକୁ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ଚେତାବାନୀ ଜାରି ହୋଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିମି ରହିବ । ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଅପରାହ୍ନ ବେଳକୁ ଓଡ଼ିଶାର ଏସବୁ ଜିଲ୍ଲାରେ ବର୍ଷା ହେବ।