16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଜାମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା : ୧୧ ମୃତ

ଜାମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା : ୧୧ ମୃତ

ଶ୍ରୀନଗର: ଶନିବାର ଜାମ୍ମୁ-କାଶ୍ମୀରର ରାମ୍ବନ ଓ ରିଆସି ଜିଲାରେ ବାଦଲଫଟା ବର୍ଷା ଯୋଗୁଁ ୧୧ ଜଣ ପ୍ରାଣ ହରାଇଛନ୍ତି। ଭୂସ୍ଖଳନ ଯୋଗୁଁ ରିଆସି ଜିଲାରେ ଘର ଭୁଶୁଡି ପଡିବାରୁ ସେଠାରେ ବାସ କରୁଥିବା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୃହକର୍ତ୍ତା ନାଜିର, ପତ୍ନୀ ଓ ପାଞ୍ଚଜଣ ନାବାଳକ ପୁଅ ସାମିଲ ଥିବା ଜଣାପଡିଛି। ଅପରପକ୍ଷରେ ରାମ୍ବନ ଜିଲାରେ ବାଦଲଫଟା ବର୍ଷାରେ ୪ ଜଣଙ୍କର ପ୍ରାଣହାନି ଘଟିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ବର୍ଷା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରାମ୍ବନ, ଜାମ୍ମୁ, ପୁଞ୍ଚ୍‌, କିସ୍ତୱାଡ୍‌ ଓ ଉଦ୍ଦମପୁର ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଗତ କିଛି ଦିନ ଧରି ଜାମ୍ମୁ-କାଶ୍ମୀରରେ ବର୍ଷା ବିତ୍ପାତ ଲାଗି ରହିଛି। ଗତ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ପ୍ରବଳ ବର୍ଷା ଓ ତତ୍‌ଜନିତ ଭୂସ୍ଖଳନ ଯୋଗୁଁ ୪୫ ଜଣଙ୍କର ପ୍ରାଣହାନି ଘଟିଛି। ଏମାନଙ୍କ ମଧ୍ୟରେ କଟରାସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠରେ ୩୪ ଶ୍ରଦ୍ଧାଳୁ ସାମିଲ ଅଛନ୍ତି। ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ପଞ୍ଚମ ଦିନ ପାଇଁ ସ୍ଥଗିତ ରଖାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଜାତୀୟ ରାଜପଥଗୁଡିକ ଅବରୋଧ ହୋଇପଡିଛି। ଫଳରେ ଜାମ୍ମୁ-କାଶ୍ମୀରରୁ ଫଳ ଓ ପନି ପରିବା ନେଇ ଆସୁଥିବା ଶତାଧିକ ଟ୍ରକ ମଝି ରାସ୍ତାରେ ଅଟକି ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking