ନୂଆଦିଲ୍ଲୀ : ଉତ୍ତର-ଇସ୍ରାଏଲରେ ଲେବନନରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ ବଡ଼ ଆକ୍ରମଣ କରିଛି । ଇସ୍ରାଏଲ୍ ଟାଇମ୍ସରେ ପ୍ରସାରିତ ଖବର ଅନୁସାରେ, ହିଜବୁଲ୍ଲା ଦ୍ୱାରା ପ୍ରାୟ ୧୦ଟି ରକେଟ ମାଡ ହୋଇଛି । ତେବେ ଏଥିରେ ମୃତାହତ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ ହୋଇଛି । ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ ଡୋମ’ ଏହି ରକେଟଗଡିକୁ ଇଣ୍ଟରସେଫ୍ଟ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଇସ୍ରାଏଲ ଏବେ ଲେବନନ ସୀମାରେ ହିଜବୁଲ୍ଲାର ପୋଷ୍ଟ ଉପରେ ଏୟାର ଷ୍ଟ୍ରାଇକ କରିବାର ଆଶଙ୍କା ବଢିଛି । ଏହାପୂର୍ବରୁ ରବିବାର ହିଜବୁଲ୍ଲା ଉତ୍ତର ଇସ୍ରାଏଲର ସେଫେଡ ସହରର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ଇସ୍ରାଏଲୀ ବେସ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା ।
ଆକ୍ରମଣକୁ ସଂଗଠନ ସ୍ୱୀକାର ମଧ୍ୟ କରିଛି । ‘ହିଜବୁଲ୍ଲା’ ଏକ ବିବୃତ୍ତିରେ କହିଛି, ଇସ୍ରାଏଲ ଉପରେ ଇସଲାମିକ ରେଜିଷ୍ଟାନ୍ସ ୟୁନିଟ ଦ୍ୱାରା ଆକ୍ରମଣ ହୋଇଛି ଦକ୍ଷିଣ ଲେବନନର ସିଡନ ସହରରେ ଶୁକ୍ରବାର ହୋଇଥିବା ଆକ୍ରମଣରେ ହାମାସ ଅଧିକାରୀଙ୍କ ହତ୍ୟାକୁ ନେଇ ଏହି ଆକ୍ରମଣ ହୋଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଶୁକ୍ରବାର ଲେବନନ ସୀମାରେ ଥିବା ସିଡୋନ ସହରର ଏକାଧିକ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ‘ହମାସ’ ଗୋଷ୍ଠୀର ଅଧିକାରୀ ଅଲ ଉଜଙ୍କ ମୃତ୍ୟୁ ହୋଇଥିଲା । ସାଧାରଣ ଜନବସିତିକୁ ଟାର୍ଗେଟ କରାଯାଉଥିବା ଲେବନନ ଓ ହିଜବୁଲ୍ଲା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାର ପ୍ରତିଶୋଧ ଭାବେ ଗତକାଲି ହିଜବୁଲ୍ଲା ଉତ୍ତର ଇସ୍ରାଏଲରେ ରକେଟ ମାଡ କରିଛି । ନିକଟରେ ହମାସ ଶୀର୍ଷ ରାଜନୈତିକ ନେତା ଇସମାଇଲଙ୍କୁ ଇରାନ ରାଜଧାନୀ ତେହେରାନରେ ସିକ୍ରେଟ ମିଶନରେ ହତ୍ୟା କରାଯାଇଥିଲା । ଏଥିରେ ଇସ୍ରାଏଲର ଭୂମିକା ଥିବା ଅଭିଯୋଗରେ ଇରାନ ଉତକ୍ଷିପ୍ତ ହୋଇଥିଲା । ଇସ୍ରାଏଲକୁ ଆକ୍ରମଣ କରିବାର ଧମକ ମଧ୍ୟ ଦେଇଥିଲା । ଏହି ମିଳିତ ଆତଙ୍କବାଦୀ ଗୋଷ୍ଠୀ ‘ଇସଲାମିକ ରେଜିଷ୍ଟାନ୍ସ ଇରାନ’ ସମର୍ôଥତ ଏକ ମିଳିଛି ଜିହାଦୀ ସଂଗଠନ । ଗତକାଲି ଆକ୍ରମଣ ପଛରେ ଇରାନର ପ୍ରଚ୍ଛନ୍ନ ସମର୍ଥନ ମଧ୍ୟ ରହିଛି ।










