28.1 C
Bhubaneswar
Wednesday, February 4, 2026
Homeଓଡିଶାରାଜନଗରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ତିନି ମାସରେ ୩ ମା’ଙ୍କ ସହ ତିନି ଶିଶୁ ମୃତ

ରାଜନଗରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ତିନି ମାସରେ ୩ ମା’ଙ୍କ ସହ ତିନି ଶିଶୁ ମୃତ

ରାଜନଗର: ରାଜ୍ୟ ସରକାର ମାତୃ ଓ ଶିଶୁ ମୃତ୍ୟୁହାର ନହେବାକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ଯାହାଫଳରେ ଗର୍ଭବତୀ, ପ୍ରସୂତୀ ଓ ନବଜାତ ଶିଶୁର ଜୀବନ ନିରାପଦ ହୋଇଥାଏ। ଗର୍ଭବତୀ, ପ୍ରସୂତୀ ଓ ନବଜାତ ଶିଶୁମାନଙ୍କ ପାଇଁ ତୃଣମୂଳସ୍ତରରୁ ସ୍ୱାସ୍ଥ୍ୟସେବା ଯୋଗାଯାଉଛି । ଅଙ୍ଗନବାଡି କେନ୍ଦ୍ରରୁ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳରେ ଖୋଲାଯାଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ଉପସ୍ୱାସ୍ଥ୍ୟକେନ୍ଦ୍ର) ଅଧିନରେ କାର୍ଯ୍ୟରତ ସିଏଚଓ, ଏଏନଏମ ଓ ଆଶାମାନେ ଗର୍ବବତୀ, ପ୍ରସୂତୀ ଓ ନବଜାତ ଶିଶୁମାନଙ୍କର ଚିକିତ୍ସା କରାଇ ମାତୃ ଓ ଶିଶୁ ମୃତ୍ୟୁହାରକୁ ରୋକିବାର ବ୍ୟବସ୍ଥା ହୋଇଛି । ମାତ୍ର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବା ସହ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ତିନିଜଣ ନବଜାତ ଶିଶୁ ଓ ଦୁଇଜଣ ଆସନ୍ନ ପ୍ରସବା(ପ୍ରସୂତୀ)ମହିଳା ଏବଂ ନଭେମ୍ବର ମାସରେ ଜଣେ ପ୍ରସୂତୀ ମହିଳାଙ୍କର ମୃତ୍ୟୁ ହେବା ଘଟଣା ସ୍ୱାସ୍ଥ୍ୟବିଭାଗର ବିକଳ ଚିତ୍ରକୁ ପଦାରେ ପକାଇଛି । ସେପ୍ଟେମ୍ବର ମାସରେ ଏହି ବ୍ଲକର ରଙ୍ଗଣୀ ପଞ୍ଚାୟତ ଭେକ୍ଟା ଗାଁର ଜଣେ ଆସନ୍ନ ପ୍ରସବା ମହିଳାଙ୍କ ସହ ନବଜାତ ଶିଶୁ, ସାତଭାୟା ଥଇଥାନସ୍ଥଳୀର ମା ସହ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା।

ଆହୁରି ମଧ୍ୟ ସେହି ମାସ ୨୧ତାରିଖ ଦିନ ମହୁଲିଆ ପଞ୍ଚାୟତ ମାଣପଡା ଗ୍ରାମର ଜନୈକା ଆସନ୍ନ ପ୍ରସବା ମହିଳାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଘରୋଇ ଆମ୍ବୁଲାନ୍ସ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବଦଳରେ ଘରୋଇ ହସ୍ପିଟାଲରେ ନେଇ ଭର୍ତ୍ତି କରାଇଥିଲେ। ସେଠାରେ ନବଜାତ ଶିଶୁପୁତ୍ର ମୃତ୍ୟୁ ହୋଇଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଗୋଟିଏ ମାସ ପରେ ନଭେମ୍ବର ମାସ ୨୧ତାରିଖ ଦିନ ଏହି ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋହ୍ଲା ଗ୍ରାମର ଜଣେ ଗର୍ଭବତୀ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ କେନ୍ଦ୍ରାପଡା ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ୨୨ତାରିଖରେ ସେଠାରେ ତାଙ୍କର ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିଲା। ପ୍ରସୂତୀ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଚିକିତ୍ସିତ ହେଉଥିବା ଅବସ୍ଥାରେ ୨୯ତାରିଖ ଦିନ ମୃତ୍ୟୁବରଣ କରିଥିବା ଜଣାପଡିଛି । ସବୁଠାରୁ ବଡକଥା ହେଉଛି, ରାଜନଗର ବ୍ଲକରେ ତିନିମାସ ମଧ୍ୟରେ ତିନିଜଣ ମା’ଙ୍କ ସହ ତିନିଜଣ ଶିଶୁ ମୃତ୍ୟୁବରଣ କରିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ମାତୃ ଓ ଶିଶୁ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking