ଭୁବନେଶ୍ୱର: ଦୂର ହେଲା ପାନ ମସଲା ଦ୍ୱନ୍ଦ୍ୱ। ରାଜ୍ୟରେ କେଉଁ ପାନ ମସଲା ବିକ୍ରି ହେବ ଏବଂ କାହା ଉପରେ ଲାଗିଛି ବ୍ୟାନ ସେନେଇ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି। ମାତ୍ର ୧୦ ଦିନ ମଧ୍ୟରେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମରେ ପରିବର୍ତ୍ତନ ହୋଇଛି। ଏପରିକି ରାଜ୍ୟରେ ପାନମସଲା ବିକ୍ରି, ପ୍ରସ୍ତୁତି ଆଦିକୁ ନେଇ ରାଜ୍ୟରେ ବ୍ୟାନ ହେବ ନାହିଁ। ଯେଉଁ ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବ ସେଗୁଡିକ ବ୍ୟାନ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସିଟି ଆଣ୍ଡ ଜିଏସ୍ଟି ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଏସ୍ ଆଶ୍ୱସ୍ତି ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ଗତ ୨୧ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ।
ସିଟି ଆଣ୍ଡ ଜିଏସ୍ଟି ଏବଂ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଏହାର ଅର୍ଥ ହେଉଛି, ସରକାରଙ୍କ ଦ୍ୱାରା ନିକଟରେ ଜାରି ହୋଇଥିବା ପ୍ରତିବନ୍ଧକ କେବଳ ତମାଖୁ ବା ନିକୋଟିନ୍ ମିଶ୍ରିତ ପାନ ମସଲା ପାଇଁ ଲାଗୁ ହେବ। ସାଧାରଣ (ତମାଖୁ ବିହୀନ) ପାନ ମସଲା ଉପରେ ଏହି ନିଷେଧାଦେଶ ଲାଗୁ ହେବ ନାହିଁ। ଗତ ୨୧ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଦର୍ଶାଯାଇଥିଲା।
ତେବେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, “ସମସ୍ତ ଟବାକୋ ପ୍ରଡକ୍ଟ ବନ୍ଦ କରାଯିବା ନେଇ ଗାଇଡ୍ ଲାଇନ୍ ରହିଛି। ଯେଉଁ ଜିନିଷ ସେବନ ଦ୍ୱାରା ଲୋକଙ୍କର କ୍ଷତି ଘଟୁଛି ତାହା ଯେଭଳି ଭାବେ ଲୋକଙ୍କ ନିକଟକୁ ନଯାଉ। “ରାଜ୍ୟରେ କୋଟପା ଆଇନ୍ ୨୦୦୩ ବଳରେ ଯେମିତି ଗୁଟୁକା ଉପରେ ଚଢ଼ଉ କରାଯାଇଥିଲା ତାହା ଏବେ ବି ବଳବତ୍ତର ରହିଛି। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ସେଥିରେ ଉଲ୍ଲେଖ କରାଯାଇଛି ଯେ, ପାନ ମସଲାରେ ଟବାକୋ କିମ୍ବା ନିକୋଟିନ ନାହିଁ। କିନ୍ତୁ ଯେଉଁଠି ସନ୍ଦେହ ହେବ ସେହି ଜାଗାରେ ବିଭାଗ ଚଢ଼ଉ କରି ପରୀକ୍ଷା ପାଇଁ ପଠାଇ ପାରିବେ। ସେହିପରି ସ୍କୁଲ୍ ଠାରୁ ଶହେ ମିଟର ଭିତରେ ଗୁଟଖା ବା ତମାଖୁ ଆଦି ଜିନିଷ କିମ୍ବା ନିକୋଟିନ ଯୁକ୍ତ ପାନ ମାସଲା ବିକ୍ରି କରାଯିବାକୁ ନିଷେଧ କରାଯାଇଛି। କିନ୍ତୁ ଲୁଚା ଛପରେ ଯେଉଁ ନିକୋଟିନ ଯୁକ୍ତ ପତି ବିକ୍ରି କରୁଥିଲେ ଚଢଉ କରାଯିବ। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଗୁଟଖା, ପାନରେ କଳା ବଜାରି ବଢ଼ିଚାଲିଛି। ୫ ଟଙ୍କାର ଜିନିଷକୁ ଏବେ ୨୦ ଟଙ୍କାରେ ୩ଟି ବିକ୍ରି ହେଉଛି। ସରକାରଙ୍କ ଆକ୍ସନ ପରେ ଅନେକ ଦୋକାନୀ ପୂର୍ବରୁ ରଖିଥିବା ଗୁଟଖା, ପାନମସଲା, ଖଇନି, ଜର୍ଦାକୁ ଲୁଚାଇ ଚୋରାରେ ବିକ୍ରି କରୁଛନ୍ତି।










