14.1 C
Bhubaneswar
Saturday, December 6, 2025
Homeଓଡିଶାହସ୍ତତନ୍ତ ଆମ ଗରିମାମୟ ଐତିହ୍ୟର ବାର୍ତ୍ତାବହ: ମନ୍ତ୍ରୀ ବଳ ସାମନ୍ତ

ହସ୍ତତନ୍ତ ଆମ ଗରିମାମୟ ଐତିହ୍ୟର ବାର୍ତ୍ତାବହ: ମନ୍ତ୍ରୀ ବଳ ସାମନ୍ତ

– ୧୯ ଫେବୃଆରୀରୁ ୧ ଅପ୍ରେଲ୍ ୨୦୨୫ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ
-ଦିବା ୧୧.୩୦ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌
– ବିଶେଷ ରିହାତ ଦରରେ କିଣି ହେବ ମନପସନ୍ଦର ହସ୍ତତନ୍ତ ବସ୍ତ୍ର
– ଏଥର ୨୨୫ ଷ୍ଟଲ, ୧୫ କୋଟିର ବିଜିନେସ୍ ଲକ୍ଷ୍ୟ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିବା ସହ କହିଛନ୍ତି, “ହସ୍ତତନ୍ତ ଆମ ଗରିମାମୟ ଐତିହ୍ୟର ବାର୍ତ୍ତାବହ । ଏହା ଆମ ଅସ୍ମିତାର ନିଦର୍ଶନ । ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ହେଉଛି ସମୟର ଆହ୍ୱାନ ।” ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାର ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହି ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ସ୍ଥାନ । ଉତ୍କୃଷ୍ଟ ବୟନ କଳାକୁ ବଂଚାଇ ରଖିବା ପାଇଁ ଅଧିକରୁ ଅଧିକ ଗ୍ରାହକ ଆଗେଇ ଆସି ବୁଣାକାରଙ୍କୁ ଉତ୍ସାହିତ କରିବା ଉଚିତ ।”

ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ବୟନକଳାକୁ ପ୍ରଦର୍ଶିତ କରିବା ସହ ବୁଣାକାରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛି ଏହାର ଆୟୋଜକ । ୧୯ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ମେଳା ୧ ଅପ୍ରେଲ୍ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୧୧.୩୦ ରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନପସନ୍ଦର ହାତତିଆରି ବସ୍ତ୍ର କିଣିପାରିବେ । ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ଖାଦ୍ୟ ଓ ପିଲାମାନଙ୍କ ପାଇଁ ଖେଳକୁଦର ବ୍ୟବସ୍ଥା କରାଯାଇଛି । ଚଳିତଥର ମୋଟ୍ ୨୨୫ଟି ଷ୍ଟଲ୍ ଖୋଲାଯାଇଛି ।

ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ଯଥା: ସମ୍ବଲପୁରୀ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, ହାବସପୁରୀ ଆଦି ଉପଲବ୍ଧ ହେବ । ଦର୍ଶକଙ୍କ ପ୍ରମୂଖ ଆକର୍ଷଣ ପାଲଟିବ କରୁଣା ରେସମ ବସ୍ତ୍ର । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଚଳିତ ମେଳାରେ ୧୫ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ବୟନିକା ଆଶା ରଖିଛି । ଉଦଘାଟନୀ ସଂଧ୍ୟାରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ, ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ବୟନିକାର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ମେଳାରେ ବହୁ ସଂଖ୍ୟାରେ ଗ୍ରାହକମାନେ ଆସି ହସ୍ତତନ୍ତ ବସ୍ତ୍ର କ୍ରୟ କରିବା ସହ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ ବୟନିକା ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking