11.1 C
Bhubaneswar
Friday, January 16, 2026
Homeଦେଶ ବିଦେଶଆମେରିକୀୟ ଷ୍ଟୋରରେ ଗୁଳିକାଣ୍ଡ; ୨ ଭାରତୀୟ ମୃତ

ଆମେରିକୀୟ ଷ୍ଟୋରରେ ଗୁଳିକାଣ୍ଡ; ୨ ଭାରତୀୟ ମୃତ

ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆରେ ଥିବା ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଉର୍ମି ପଟେଲ୍ ନାମ୍ନୀ ଜଣେ ୨୪ ବର୍ଷୀୟ ଭାରତୀୟ ଯୁବତୀ ଓ ତାଙ୍କ ୫୬ ବର୍ଷୀୟ ବାପା ପ୍ରଦୀପ ପଟେଲ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତ ଗୁରୁବାର ଆକୋମାକ୍ କାଉଣ୍ଟିରେ ଷ୍ଟୋର୍ ଖୋଲିବାର କିଛି ସମୟ ପରେ ଏହି ଗୁଳିକାଣ୍ଡ ଘଟିଥିଲା। ଡବଲ୍ ମର୍ଡର ମାମଲାରେ ଭିର୍ଜିନିଆ ପୁଲିସ ଜର୍ଜ ଫ୍ରେଜିୟର ଡେଭୋନ୍ ୱାର୍ଟନ୍ (୪୪) ନାମକ ବ୍ୟକ୍ତିକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ତା’ର ସାଥୀମାନେ ଗୁରୁବାର ସକାଳେ ମଦ କିଣିବା ପାଇଁ ଦୋକାନରେ ପହଞ୍ଚି ଦୋକାନ କାହିଁକି ବନ୍ଦ ରହିଛି ବୋଲି ପଚାରିଥିଲେ। ଏହାପରେ ସେମାନେ ବାପା-ଝିଅଙ୍କ ଉପରକୁ ଗୁଳି ଚଳାଇଥିଲେ।

ତେବେ ଘଟଣାସ୍ଥଳରେ ପ୍ରଦୀପ ପଟେଲ ପ୍ରାଣ ହରାଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉର୍ମିଙ୍କ ମୃତ୍ୟୁ ହୋଇଛି। ଗୁଜରାଟର ମେହସାନା ଜିଲ୍ଲାର ପ୍ରଦୀପ ପଟେଲ, ତାଙ୍କ ପତ୍ନୀ ହଂସାବେନ ଏବଂ ଝିଅ ଉର୍ମି ୬ ବର୍ଷ ତଳେ ଆମେରିକା ଚାଲି ଆସିଥିଲେ। ସେମାନେ ଏଠାରେ ନିଜର ଜଣେ ସମ୍ପର୍କୀୟଙ୍କ ଷ୍ଟୋର୍‌ରେ କାମ କରୁଥିଲେ। ପ୍ରଦୀପ ପଟେଲ ଏବଂ ହଂସାବେନଙ୍କର ଆଉ ଦୁଇ ଝିଅ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କାନାଡାରେ ଏବଂ ଅନ୍ୟ ଜଣେ ଅହମଦାବାଦରେ ରହନ୍ତି। ତେବେ ଏହି ଡବଲ ମର୍ଡର ଆମେରିକାରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ, ଉତ୍ତର କାରୋଲିନାରେ ଏକ ଷ୍ଟୋର ଚଳାଉଥିବା ୩୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ମୈନାଙ୍କ ପଟେଲଙ୍କୁ ଏକ ଡକାୟତି ସମୟରେ ଗୁଳିକରି ହତ୍ୟା କରାଯିବାର କିଛି ମାସ ପରେ ଏହି ଘଟଣା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking