ମେକ୍ସିକୋ: କେବଳ ଗୁଣିଗାରେଡି ସନ୍ଦେହରେ ପ୍ରାୟ ୧୧୦ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ହାଇତି ଦେଶର ସାଇଟ୍ ସୋଲେଇଲ୍ ପ୍ରାନ୍ତରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଏହି ପ୍ରାନ୍ତରେ ସକ୍ରିୟ ଥିବା ଏକ ସଶସ୍ତ୍ର ମିଲିଟାଣ୍ଟ୍ ଗ୍ରୁପ୍ର ଜଣେ ଲିଡରଙ୍କ ପୁଅ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଦୀର୍ଘଦିନର ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ପରେ ସେ ଏଠାକାର ଏକ ପୂଜାରୀ (ଭୁଡୋ)ଙ୍କ ସହ ଏନେଇ କଥା ହେବା ପରେ ଭୁଡୋଜଣକ ତାଙ୍କୁ କୁଆଡେ ତାଙ୍କ ପୁଅ ଉପରେ ଗୁଣିଗାରେଡି ହୋଇଥିବା କଥା କହିଥିଲେ। ଏବଂ ଏଥିରେ ଉତ୍କ୍ଷିପ୍ତ ହୋଇ ଏହି ହାଇତି ମିଲିଟାଣ୍ଟ ଗ୍ରୁପ୍ର ଲିଡରଜଣକ ନିଜ ଲଢ଼ୁଆ ଯୋଦ୍ଧାଙ୍କୁ ଉକ୍ତ ପ୍ରାନ୍ତରେ ରହୁଥିବା ସମସ୍ତଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମିଳିବା ପରେ ଗତ ଶୁକ୍ରବାର ଦିନ ୬୦ଜଣଙ୍କୁ ଏବଂ ଶନିବାର ଦିନ ୫୦ଜଣଙ୍କୁ ହତ୍ୟା କରାଯାଇଛି।
ସମସ୍ତ ମୃତକଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେନ୍ସ ନେଟୱକ (ଆରଏନ୍ଡିଡିଏଚ୍) ପକ୍ଷରୁ ଘଟଣା ସମ୍ପର୍କରେ ରବିବାର ଦିନ ସୂଚନା ଦିଆଯାଇଛି। ଏହି ସଶସ୍ତ୍ର ହାଇତି ମିଲିଟାଣ୍ଟ ଗ୍ରୁପ୍ର ନାମ ୱାର୍ଫ ଜେରେମି ହୋଇଥିବା ବେଳେ ଏପ୍ରକାର ଗଣହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଲିଡରର ନାମ ମୋନେଲ ମିକାନୋ ଫେଲିକ୍ସ ବୋଲି ଜଣାପଡ଼ିଛି। ଏହି ପ୍ରସଙ୍ଗ ଏବେ ମିଳିତ ଜାତିସଂଘରେ ମଧ୍ୟ ଉଠିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହାଇତିର ଅଧିକାଂଶ ପ୍ରାନ୍ତରେ ଏପ୍ରକାର ଗୁଣିଗାରେଡିଜନିତ ଅନ୍ଧ ବିଶ୍ୱାସ ରହିଥିବା ବେଳେ ଏହି କାରଣରୁ ଅନେକ ଜନସାଧାରଣଙ୍କ ଜୀବନ ଅକାଳରେ ଝଡିପଡ଼ୁଥିବା ରିପୋର୍ଟ ବରାବର ଆସିବାରେ ଲାଗିଛି।