31.1 C
Bhubaneswar
Saturday, September 14, 2024
Homeଓଡିଶାଜାରିହେଲା ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା

ଜାରିହେଲା ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା

ଭୁବନେଶ୍ୱର : ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି, ଅଗଷ୍ଟ ୨୯ ତାରିଖ ୨୦୨୪ରେ ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ର ମାର୍ଗଦର୍ଶିକା ଜାରି କରାଯାଇଛି |

ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି | ଏହି ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତଦୁର୍ଦ୍ଧ ଓ ୬୦ ବର୍ଷରୁ କମ୍ ହେଇଥିବା ଆବଶ୍ୟକ। ଯୋଗ୍ୟ ମହିଳାଙ୍କ କେବଳ ନିଜ ନାମରେ ଆଧାର କାର୍ଡ/ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ | ଏକକ- ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟ) ଥିବା ସହ ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ନିହାତି ଆବଶ୍ୟକ | ସହଜ କାରବାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ | ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ହାରରେ ୫୦,୦୦୦ଟଙ୍କା ପ୍ରଦାନ କରାଯିବ | ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ |
ମହିଳାମାନଙ୍କ ମଧ୍ୟରେ ଡିଜିଟାଲ ଆର୍ଥିକ ସାକ୍ଷରତାକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ସଂସ୍ଥାରୁ ସର୍ବାଧିକ ଡିଜିଟାଲ କାରବାର କରୁଥିବା ୧୦୦ ଜଣ ମହିଳାଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୁରସ୍କାର ଆକାରରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ |
ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁଦୃଢ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ | ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନା ସମ୍ବନ୍ଧୀୟ କୌଣସି ଭୁଲ ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking