29.1 C
Bhubaneswar
Monday, March 30, 2026
Homeଓଡିଶାଗ୍ରାଉଣ୍ଡ ଟୁ ଗ୍ରୋଥ୍: ଭୁବନେଶ୍ୱରରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍’ ଅନୁଷ୍ଠିତ

ଗ୍ରାଉଣ୍ଡ ଟୁ ଗ୍ରୋଥ୍: ଭୁବନେଶ୍ୱରରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍’ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ଲାଇଫ୍ ଠାରେ ଆଜି ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍-ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଚାଷୀ, କାରିଗର, ଉଦ୍ୟୋଗୀ, ଶିଳ୍ପ ପ୍ରତିନିଧି ଏବଂ ନୀତି ନିର୍ଦ୍ଧାରକମାନେ ଏକତ୍ରିତ ହୋଇଥିଲେ। ଓଡ଼ିଶାରେ ବାଉଁଶ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟର ପ୍ରାକୃତିକ ସମ୍ପଦକୁ ଏକ ସୁଦୃଢ଼ ଉଦ୍ୟୋଗ-ଭିତ୍ତିକ ପରିବେଶରେ ପରିଣତ କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାଜିଥିଲା। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ଶ୍ରୀ ଶର୍ମା କହିଥିଲେ ଯେ, ବାଉଁଶ ସ୍ଥାୟୀ ଜୀବିକା ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳିକା ଶକ୍ତି ହେବାର ସାମର୍ଥ୍ୟ ରଖିଛି। ଏହାର ବିକାଶ ପାଇଁ ଏକ ସମନ୍ୱିତ ଏବଂ ଶିଳ୍ପ-ଉନ୍ମୁଖୀ ଆଭିମୁଖ୍ୟ ଆବଶ୍ୟକ, ଯେଉଁଥିରେ ମୂଲ୍ୟ ବୃଦ୍ଧି ଏବଂ ବଜାର ସଂଯୋଗୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।

ଦିନବ୍ୟାପୀ ଅନୁଷ୍ଠିତ ବୈଷୟିକ ଅଧିବେଶନଗୁଡ଼ିକରେ ବାଉଁଶର ସମ୍ଭାବନାକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଗୋଷ୍ଠୀ ଜଙ୍ଗଲ ଅଧିକାର ଅଞ୍ଚଳରେ ବାଉଁଶ ଚାଷ, କୋରାପୁଟର କ୍ଷେତ୍ରସ୍ତରୀୟ ଅଭିଜ୍ଞତା, ବାୟୋଚାର ଭଳି ଶିଳ୍ପ ପ୍ରୟୋଗ ଏବଂ ଗୁଣବତ୍ତା ନିଶ୍ଚିତ କରିବା ପାଇଁ ପ୍ରମାଣପତ୍ର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ  ଓ.ଏଫ୍.ଏସ୍.ଡି.ପି,  କ୍ୟାମ୍ପା,  ଓ.ଏଫ୍.ଡି.ସି , ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ଜୀବିକା ମିଶନ ଭଳି ପ୍ରମୁଖ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ବାଉଁଶ କ୍ଷେତ୍ରର ସମନ୍ୱିତ ବିକାଶ ପାଇଁ ଏକ ବଳିଷ୍ଠ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ଅପରାହ୍ନ ଅଧିବେଶନରେ ମୁଖ୍ୟତଃ ବଜାର ସଂଯୋଗୀକରଣ ଏବଂ ବ୍ୟବସାୟୀମାନଙ୍କ ସହ ଆଲୋଚନା ଉପରେ ଧ୍ୟାନ ଦିଆଯାଇଥିଲା। ଏହି ପର୍ଯ୍ୟାୟରେ ଏକ ଗୋଲାକାର ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଉଁଶ ଭିତ୍ତିକ ଉଦ୍ୟୋଗଗୁଡ଼ିକୁ ବୃଦ୍ଧି କରିବା ପାଇଁ ବଜାରର ସ୍ଥିତି, କ୍ଲଷ୍ଟର ବିକାଶ, ଡିଜାଇନ୍-ଭିତ୍ତିକ ଉତ୍ପାଦ ଏବଂ ପୁଞ୍ଜିର ସହଜ ଉପଲବ୍ଧତା ବିଷୟରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ଡକ୍ଟର କେ. ମୁରୁଗେଶନ, ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀ ମୁଖ୍ୟ, ଶ୍ରୀ ସ୍ୱୟମ ମଲ୍ଲିକ, ଓ.ଏଫ୍.ଡି.ସି ନିର୍ଦ୍ଦେଶକ (ଓପରେସନ୍‌ସ), ଶ୍ରୀ କାର୍ତ୍ତିକ ଭି., ଏସ୍.ଏମ୍.ଡି, ଓଡ଼ିଶା ବାମ୍ବୁ ଡେଭଲପମେଣ୍ଟ ଏଜେନ୍ସୀ ଏବଂ ସଂଗୀତା ଅଗସ୍ତି, ଆଞ୍ଚଳିକ ନିର୍ଦ୍ଦେଶକ (ଦକ୍ଷିଣ ଏସିଆ), ଇନବାର୍ ଉପସ୍ଥିତ ରହି ବାଉଁଶ କ୍ଷେତ୍ରର ରୂପାନ୍ତରଣ ଉପରେ ମାର୍ଗଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking