ନୂଆଦିଲ୍ଲୀ: ଗୁଜରାଟର ଭାବନଗରରେ ଏକ ଦୃଦୟବିଦାରକ ଘଟଣା ଘଟିଛି । ବାହାଘର ପାଇଁ ବେଦୀ ସଜାହେବା ବଦଳରେ ସେଠି କୋକେଇ ସଜା ହୋଇଛି । ବିବାହକୁ ନେଇ ଯେଉଁଠି ଖୁସିର ମାହୋଲ ଥିଲା ସେଠି ଦୁଃଖ-ଶୋକ ଖେଳିଯାଇଛି । ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବିବାହର ୧ ଘଣ୍ଟା ପୂର୍ବରୁ ହତ୍ୟା କରିଛି ବର । ଶାଢୀ ଓ ଟଙ୍କାକୁ ନେଇ ବଚସା ହେବାରୁ ଏପରି କରୁଣ ପରିଣିତି ଘଟିଛି। ଅଭିଯୁକ୍ତର ନାଁ ହେଉଛି ସଜନ ବରୈୟା । ଯାହାକୁ ବିବାହ କରି ସାତଜନ୍ମ ସାଥୀରେ ରହିବାକୁ କଥା ଦେଇଥିଲା ତାଙ୍କୁ ହତ୍ୟା କରିଛି ସଜନ । ଏବେ ସେ ଫେରାର ଥିବା ସୂଚନା ମିଳିଛି । ପୀଡ଼ିତଙ୍କ ନାଁ ସୋନି ରାଥୋଡ଼ । ସୋନି ଓ ସଜନଙ୍କ ବିବାହକୁ ମାତ୍ର କିଛି ଘଣ୍ଟା ବାକି ଥିଲା । ହେଲେ ସଜନ ସୋନିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଶନିବାର ସୋନିଙ୍କ ବାସଭବନରେ ପହଞ୍ଚିଥିଲା ସଜନ । ଶାଢୀ ଓ ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ରାଗ ଗରଗର ହୋଇ ସଜନ ସୋନିଙ୍କ ମୁଣ୍ଡକୁ ଏକ ଲୁହା ପାଇପ୍ରେ ପ୍ରଚଣ୍ଡ ପ୍ରହାର କରିଥିଲେ । ସୋନିଙ୍କ ମୁଣ୍ଡକୁ କାନ୍ଥରେ ମଧ୍ୟ ପିଟି ଦେଇଥିଲେ । ଆହତ ସୋନିଙ୍କର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଥିଲା । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନି ଓ ସଜନ ବିବାହ ପୂର୍ବରୁ ପ୍ରାୟ ଦେଢବର୍ଷ ହେବ ଏକାଠି ରହୁଥିଲେ । ପରିବାର ବିରୋଧରେ ଯାଇ ସେମାନେ ଏକାଠୀ ରହୁଥିଲେ । ସେମାନଙ୍କ ନିର୍ବନ୍ଧ ସରିଥିଲା । ବିବାହ ପ୍ରସ୍ତୁତି ଚାଲିଥିଲା । ପ୍ରାୟ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା । ଶନିବାର ରାତିରେ ସେମାନଙ୍କର ବିବାହ ହେବାର ଥିଲା । ହେଲେ ବିବାହ ନୁହେଁ ହତ୍ୟାକାଣ୍ଡ ଘଟିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସଜନ ବିରୋଧରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ୍ । ସଜନକୁ ଧରିବାକୁ ପୁଲିସ୍ ଟିମ୍ ଏକାଧୀକ ସ୍ଥାନରେ ଚଢାଉ ଜାରି ରଖିଛି ।










