ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡକ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ରେ ଯେଉଁ ଫାଇନ୍ ବଢାଯାଇଛି କୋହଳ କରିବାକୁ ତର୍ଜମା କରିବୁ । ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି, ପର୍ଯ୍ୟାଲୋଚନା କରୁଛୁ । ନୂଆ ଓ ପୁରୁଣା ସବୁ ଗାଡିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି । ଯେଉଁ ଗାଡିରୁ ଫାଇନ୍ ଆଦାୟ ସରିଛି, ତାହାର ମଧ୍ୟ ବିଚାର କରାଯାଉଛି । ସୂଚନାଯୋଗ୍ୟ, ଗତ ବୁଧବାର ଦିନ ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗାଡିରେ ବୈଧ କାଗଜପତ୍ର କରାଇବା ପାଇଁ ଅବଧିକୁ ମାସେ ବୃଦ୍ଧି କରାଯାଇଥିଲା । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା । ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ ବୋଲି ସୂଚନା ଦିଆଯାଇଥିଲା ।










