ନବରଙ୍ଗପୁର: ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡା ଗାଁରେ ଶିଶୁକୁ ଚେଙ୍କ ଦେବା ଘଟଣାରେ ଜେଜେମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦାହାଣ୍ଡି ପୋଲିସ । ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନାରେ ଶିଶୁର ବାପା ସରୋଜ ନାୟକ, ମା ପୂର୍ଣମୀ ନାୟକ ଏବଂ ଜେଜେମା କୁନ୍ତଳା ମଶ୍ରାଙ୍କ ନାଁରେ ଏକ ମାମଲା ରୁଜୁ କରି ନିଜେ ଆଇଆଇସି ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ । ତେବେ ଶିଶୁର ଜେଜେମା କୁନ୍ତଳା ମଶ୍ରାଙ୍କୁ ଗିରଫ କରି ଝରୀଗାଁ ପ୍ରଥମ ଶ୍ରେଣୀ ବିଚରାପତିଙ୍କ ଅଦାଲତକୁ ପଠାଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଛି । ଶିଶୁ ଜନ୍ମ ହେବାର ଦଶ ଦିନ ପରେ ବହୁତ କାନ୍ଦୁ ଥିବାରୁ ସୁସ୍ଥ ହେବ ବୋଲି ଲୋକଙ୍କ ପାଖରୁ ଶୁଣି ଶିଶୁର ବାପା, ମା ଓ ଜେଜେମା ଶିଶୁର ମୁଣ୍ଡ ଓ ପେଟରେ ୬୦ରୁ ଅଧିକ ଚେଙ୍କ ଦେଇଥିଲେ । ଶିଶୁ ଗୁରୁତର ହେବାରୁ ଉମରକୋଟ ଡିଏନକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ପରେ ଶିଶୁ ସୁସ୍ଥ ହୋଇଥିବା ଜଣାପଡ଼ିଛି ।