27.1 C
Bhubaneswar
Saturday, December 6, 2025
Homeଓଡିଶାବଣ୍ଡାଘାଟିର ବିକାଶ ଓ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ବଣ୍ଡାଘାଟିର ବିକାଶ ଓ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଆଜି କୋରାପୁଟରୁ ସ୍ୱତନ୍ତ୍ର କାର ଯୋଗେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. କମ୍ଭମପାଟି ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ଡିଏଫଓ ସାଇ କିରନ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବନ ବିଭାଗ ଡାକ ବଙ୍ଗଳାକୁ ପାଛୋଟି ନେଇଥିଲେ । ଏହା ପରେ ରାଜ୍ୟପାଳ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟି ଗସ୍ତ କରିଥିଲେ । ଘାଟିରେ ପହଁଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇ ଫୁଲ ମାଳ ଦେଇ ପବିତ୍ର ସୀତାକୁଣ୍ଡ ଓ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ଏହାର ବିକାଶ କିପରି କରାଯିବ ସେଥି ପ୍ରତି ଗୁରତ୍ୱ ଦେଇଥିଲେ। ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଆଦିମ ବଣ୍ଡା ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ବଣ୍ଡା ଦକ୍ଷତା ବିକାଶ, ଟେଲରିଙ୍ଗ ୟୁନିଟ, ମଲ୍ଟି ପ୍ରୋସେସିଙ୍ଗ ୟୁନିଟ, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଂକାର ନିର୍ମାଣ କାରୁକାର୍ଯ୍ୟ ଦେଖିବା ସହିତ ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟା ଓ ଆଦିମ ବଣ୍ଡା ଜନଜାତିଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ।

ସେହିପରି ବିଡିଏ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ଜନମନ୍, ଜଙ୍ଗଲ ଜମି ପଟ୍ଟା, ୮୦ ବର୍ଷରୁ ଉର୍ଦ୍ଧ୍ବ ପେନସନ ହିତାଧୀକାରୀ, ସ୍ଵୟଂସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଯୁବ ସ୍ଵେଚ୍ଛାସେବୀ ଓ ଲକ୍ଷପତି ଦିଦି ହିତାଧିକାରୀଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ । ସେହିପରି ୧୫ ଜଣ ଆଦିମ ବଣ୍ଡା ଓ ୧୧ ଜଣ ଦିଦାୟୀ ସମ୍ପ୍ରଦାୟର ହିତାଧୀକାରୀଙ୍କୁ ରାଜ୍ୟପାଳ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ । ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଜଣେ ହିତାଧୀକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଜଣେ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ହଜାରେ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ। କୃଷି ବ୍ୟତୀତ ଗୋପାଳନ, ଛେଳି, କୁକୁଡ଼ା ଚାଷ ମାଧ୍ୟମରେ ମଧ୍ୟ ବଣ୍ଡା ଜନଜାତି ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ ଏବଂ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସଂମ୍ପୃକ୍ତ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଡିଏ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବଣ୍ଡା ଘାଟିର ବିକାଶ ପ୍ରତି ଗୁରୁତ୍ୱ ଦେଵା ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଵା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ସୁଫଳ ଏବଂ ଜଙ୍ଗଲ ଜମି ପଟ୍ଟା କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପକୃତ ହୋଇଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ । ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇସ୍କୁଲ ପରିଦର୍ଶନ କରି ଶିକ୍ଷାଦାନ କିପରି ହେଉଛି, ବିଦ୍ୟାଳୟର ଭିତ୍ତିଭୂମି ଏବଂ ସୁବିଧା ଅସୁବିଧା ସମ୍ପର୍କରେ ଛାତ୍ରୀଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking