29.1 C
Bhubaneswar
Monday, March 30, 2026
Homeଓଡିଶାକର୍କଟ ରୋଗର ପ୍ରତିରୋଧ ପାଇଁ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଏବଂ ସୁଲଭ ଚିକିତ୍ସା ଉପରେ ରାଜ୍ୟପାଳଙ୍କ...

କର୍କଟ ରୋଗର ପ୍ରତିରୋଧ ପାଇଁ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଏବଂ ସୁଲଭ ଚିକିତ୍ସା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: କର୍କଟ ରୋଗର ପ୍ରତିରୋଧ ପାଇଁ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଏବଂ ସୁଲଭ ଚିକିତ୍ସା ଉପରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି I ସୋମବାର ଦିନ ଅସୀମ୍ ଓଡ଼ିଶା ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ “କ୍ୟାନ୍ସର-ଫ୍ରି ଓଡ଼ିଶା” ସଚେତନତା ସମ୍ମିଳନୀ ଏବଂ “ମହାନାୟକ–୨୦୨୬” ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏପରି ଗୁରୁତ୍ଵାରୋପ କରି କହିଥିଲେ ଯେ, କ୍ୟାନ୍ସର ଏବେ କେବଳ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ ବରଂ ଏହା ପରିବାର ଏବଂ ସମାଜକୁ ପ୍ରଭାବିତ କରୁଥିବା ଏକ ବଡ଼ ସାମାଜିକ ଆହ୍ୱାନ ପାଲଟିଛି। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ଓଡ଼ିଶା ସମେତ ଦେଶର ଅନେକ ଅଞ୍ଚଳରେ ଜୀବନଶୈଳୀ ପରିବର୍ତ୍ତନ, ତମାଖୁ ସେବନ, ପରିବେଶଗତ କାରଣ, ସଚେତନତାର ଅଭାବ ଏବଂ ବିଳମ୍ବିତ ନିଦାନ ହେତୁ କ୍ୟାନ୍ସର ମାମଲା କ୍ରମାଗତ ଭାବେ ବଢ଼ୁଛି। କର୍କଟ ରୋଗ ପ୍ରତିରୋଧର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ତମାଖୁ ବ୍ୟବହାର, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଆଳସ୍ୟ ଜୀବନଶୈଳୀ ଭଳି ବିପଦ କାରକଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା ଦ୍ୱାରା କ୍ୟାନ୍ସରର ସଂଖ୍ୟା ବହୁଳ ମାତ୍ରାରେ କମ କରିହେବ। ଏକ ସଚେତନ ସମାଜ ହିଁ ଏକ ଶକ୍ତିଶାଳୀ ସମାଜ ଏବଂ ପ୍ରତିରୋଧ ଚିକିତ୍ସା ଠାରୁ ଅଧିକ ପ୍ରଭାବଶାଳୀ ବୋଲି ରାଜ୍ୟପାଳ କହିଥିଲେ।

ପ୍ରାରମ୍ଭିକ ଚିହ୍ନଟର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ବିଶେଷକରି ଗ୍ରାମାଞ୍ଚଳ ଓ ଅନୁନ୍ନତ ଅଞ୍ଚଳରେ ସ୍କ୍ରିନିଂ କାର୍ଯ୍ୟକ୍ରମକୁ ବିସ୍ତାରିତ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। ପ୍ରାରମ୍ଭିକ ନିଦାନ କେବଳ ବଞ୍ଚିବାର ସୁଯୋଗ ବଢ଼ାଏ ନାହିଁ ବରଂ ରୋଗୀ ଓ ପରିବାରର ଆର୍ଥିକ ଏବଂ ମାନସିକ ବୋଝକୁ ମଧ୍ୟ କମ କରେ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସମସ୍ତଙ୍କ ପାଇଁ ଉପଲବ୍ଧ ଏବଂ ସୁଲଭ ହେବା ଉଚିତ। ସ୍ୱାସ୍ଥ୍ୟସେବାକୁ ଏକ ମୌଳିକ ଅଧିକାର ବୋଲି ବର୍ଣ୍ଣନା କରି ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଦୂର କରିବା ଏବଂ ସରକାର, ବେସରକାରୀ କ୍ଷେତ୍ର ଓ ନାଗରିକ ସମାଜ ମଧ୍ୟରେ ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ। “ମହାନାୟକ–୨୦୨୬” ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ ସେମାନଙ୍କର ସମାଜ ପ୍ରତି ଅବଦାନକୁ ପ୍ରଶଂସା କରିବା ସହିତ ଏକ କ୍ୟାନ୍ସର-ସଚେତନ ଓ କ୍ୟାନ୍ସର-ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ ସାମୁହିକ ପ୍ରୟାସ ପାଇଁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଏବଂ ପୂର୍ବତନ ବାଲେଶ୍ୱର ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନା ମଧ୍ୟ ଉଦବୋଧନ ଦେଇଥିଲେ। ଅସୀମ ଓଡ଼ିଶା ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ଓ ପରିଚାଳନା ଟ୍ରଷ୍ଟି ଅସୀମା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ବିଧାୟକ ଭୁବନେଶ୍ୱର ଉତ୍ତର ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking