21.1 C
Bhubaneswar
Wednesday, February 11, 2026
Homeଓଡିଶାସ୍ୱର୍ଗତ କୃଷ୍ଣ ଚନ୍ଦ୍ର ରାୟଙ୍କ ଚତୁର୍ଥ ସ୍ମାରକୀ ବକ୍ତୃତାରେ ସମାବେଶୀ ବିକାଶ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ 

ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ରାୟଙ୍କ ଚତୁର୍ଥ ସ୍ମାରକୀ ବକ୍ତୃତାରେ ସମାବେଶୀ ବିକାଶ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ 

ଭୁବନେଶ୍ୱର:  ଆଜି ଭୁବନେଶ୍ୱରସ୍ଥିତ ଆରଆଇଇ – ଏନସିଇଆରଟି କ୍ୟାମ୍ପସ୍ ଅଡିଟୋରିୟମଠାରେ ଅନୁଷ୍ଠିତ ଚତୁର୍ଥ କୁମାର କୃଷ୍ଣ ଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସମାବେଶୀ ବିକାଶ, ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ଶାସନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦିବଂଗତ ବିଶିଷ୍ଟ ସାମାଜିକ କର୍ମୀ କୁମାର କୃଷ୍ଣ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ସ୍ୱର୍ଗତ ରାୟଙ୍କର ସାମାଜିକ ନ୍ୟାୟ, ଶିକ୍ଷା ଏବଂ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଉଦ୍ୟମ ସଂପର୍କରେ ଆଲୋକପାତ କରିଥିଲେ। ଯେତେବେଳେ ସମାଜର ସବୁଠାରୁ ପଛୁଆ ବର୍ଗର ଲୋକଙ୍କର ଉତ୍‌ଥାନ ହୋଇଥାଏ ସେତେବେଳେ ପ୍ରକୃତ ପ୍ରଗତି ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି କହିଥିଲେ। ଏହି ସ୍ମାରକୀ ବକ୍ତୃତା କେବଳ ସ୍ୱର୍ଗତ ରାୟଙ୍କର କୃତୀ ଓ କିର୍ତ୍ତୀ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ତାଙ୍କ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ସ୍ମରଣ କରାଇଦିଏ।

ଅଗଣିତ ଅବହେଳିତ ଲୋକଙ୍କର ଜୀବନର ପରିବର୍ତ୍ତନ ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଆଦର୍ଶର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି। କୌଣସି ପୃଷ୍ଠଭୂମି କିମ୍ବା ଆର୍ଥିକ ସ୍ଥିତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ଯେପରି ସୁଯୋଗ ଉପଳବ୍ଧ ହେବ ସେଥିପାଇଁ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ପାଇଁ ସାମୁହିକ ଉଦ୍ୟମ କରିବାକୁ ସ୍ୱର୍ଗତ ରାୟ ଅନୁପ୍ରେରିତ କରିଥିଲେ ବୋଲି ରାଜ୍ୟପାଳ କହିଥିଲେ। ଏପରି ସ୍ମାରକୀ ବକ୍ତୃତା ଆୟୋଜନ ପାଇଁ ଆୟୋଜକମାନଙ୍କୁ ପ୍ରଶଂସା କରି ସାମାଜିକ ପରିବର୍ତ୍ତନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ। କେବଳ କଥାରେ ନୁହେଁ ବରଂ କାର୍ଯ୍ୟରେ ସ୍ୱର୍ଗତ ରାୟଙ୍କର ଆଦର୍ଶକୁ ଅନୁପାଳନ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ କାମ କରିବା ଯେଉଁଠାରେ ବିକାଶ ସମସ୍ତଙ୍କ ନିକଟରେ ପହଂଚିବ ବୋଲି କହିବା ସହିତ ସେବା ମନୋଭାବ ଦ୍ୱାରା ଏକ ବିକଶିତ ରାଜ୍ୟ ଗଠନ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।

ବିକାଶାର୍ଥେ ବିଦ୍ୟାର୍ଥୀ ଟ୍ରଷ୍ଟ ଓ ଏବିଭିପି, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥିଭାବେ ସୌମେନ୍ଦ୍ର କୁମାର ଜେନା କୁମାର କୃଷ୍ଣ ଚନ୍ଦ୍ର ରାୟଙ୍କର ଜୀବନାଦର୍ଶ ଓ ତ୍ୟାଗ ସଂପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତାଭାବେ ବି. ସୁରେନ୍ଦ୍ରନ ସ୍ୱର୍ଗତ ରାୟଙ୍କର ଜୀବନବ୍ୟାପୀ ସାଧନା ଓ ସମର୍ପଣ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କ ଆଦର୍ଶର ପ୍ରାସଙ୍ଗିକତା ତଥା ଭବିଷ୍ୟତ ଭାରତ ଗଠନର ଦୃଷ୍ଟିଭଙ୍ଗୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀମତୀ ଦିପ୍ତୀମୟୀ ପ୍ରତିହାରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking