19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶସରକାର ସାମାଜିକ ନ୍ୟାୟ ପ୍ରତି ସମର୍ପିତ: ରାଷ୍ଟ୍ରପତି

ସରକାର ସାମାଜିକ ନ୍ୟାୟ ପ୍ରତି ସମର୍ପିତ: ରାଷ୍ଟ୍ରପତି

ନୂ୍‌ଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ନିଜ ଅଭିଭାଷଣରେ ଅନେକ ପ୍ରସଙ୍ଗରେ ବିଶେଷକରି ନିଜ କ୍ଷମତାସୀନ କେନ୍ଦ୍ର ସରକାରଙ୍କ ସଫଳତାର ରିପୋର୍ଟ ଦେଇଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ତାଙ୍କ ସରକାର ଏକ ବିକଶିତ ଭାରତ ପାଇଁ ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ ଦେଖୁଛନ୍ତି। ତେଣୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଗ୍ରାମାଞ୍ଚଳରେ ବିକାଶ ଓ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ନୂଆ କରି ଆଣିଥିବା ଆଇନ୍ ବିକଶିତ ଭାରତ – ଜି ରାମ ଜି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ପ୍ରସଙ୍ଗଜନିତ ଭାଷଣକୁ ନେଇ ବିରୋଧୀ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ, ବିଭିନ୍ନ ସ୍ଲୋଗାନ ତଥା ନାରାବାଜି କରିବା ସହ ହୋହାଲ୍ଲା କରିଥିଲେ।

ରାଷ୍ଟ୍ରପତି ଦାବି କରିଥିଲେ ଯେ, ତାଙ୍କ ସରକାର ପ୍ରକୃତ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ଅଛନ୍ତି। “ସଂସ୍କାର ଏକ୍ସପ୍ରେସ’ ପଥରେ ସରକାର ଆଗକୁ ବଢ଼ୁଛନ୍ତି। ପଛୁଆ ସମ୍ପ୍ରଦାୟର କଲ୍ୟାଣ ତାଙ୍କ ସରକାରଙ୍କ ପ୍ରାଥମିକତା ରହିଛି। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରାଯାଉଛି। ନିଜ ଭାଷଣରେ ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ କହିବାନୁସାରେ ୟୁରୋପୀୟ ସଂଘ ସହିତ ଏଫ୍‌ଟିଏ ସେବା ଓ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ତଥା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଗ୍ଲୋବାଲ ସାଉଥ୍‌ରେ ମଧ୍ୟ ଭାରତର ଗୁରୁତ୍ୱ ବଢ଼ିଛି। ଦେଶ ବ୍ରିକ୍ସ, ଏସ୍‌ସିଓ, ଜି-୨୦ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଛି। ଅନେକ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭାରତ ଏବେ ସଫଳତାର ସହିତ କାର୍ଯ୍ୟ କରୁଛି।

ରାଷ୍ଟ୍ରପତି ଘୋଷଣା କରିଛନ୍ତି, ସରକାର ଖୁବ୍ ଶୀଘ୍ର ଏକ ବିଶ୍ୱ ଏଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭାରତୀୟ ସେନା ଅପରେସନ ସିନ୍ଦୂର ସମୟରେ ପ୍ରଦର୍ଶନ କରିଥିବା ବୀରତାକୁ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ସରକାର ଏବଂ ସେନା ଯେକୌଣସି ଆତଙ୍କବାଦୀ ଆକ୍ରମଣ ବିରୋଧରେ ଏକ ଦୃଢ଼, ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବଦା ସତର୍କ ତଥା ସଜାଗ ରହିଛି। ସେହିପରି ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କର ପ୍ରଶଂସା କରିବା ସହ ଭାରତ ସରକାର ଏବେ ଇସ୍ରୋ ସହ ମିଶି ଗଗନାୟନ୍ ମିଶନ ଉପରେ କାମ କରୁଥିବା କହିଛନ୍ତି। ଶ୍ରୀମତୀ ମୁର୍ମୁ ଉଲ୍ଲେଖ କରିଛନ୍ତି ଯେ “ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ପୁୂରୁଣା ନୀତି ନିୟମକୁ ପରିବର୍ତ୍ତନ କରାଯାଉଛି। ଦେଶର ପ୍ରାୟ ୯୫ କୋଟି ନାଗରିକଙ୍କ ପାଇଁ ସାମାଜିକ ସୁରକ୍ଷା ଲାଭ ବର୍ତ୍ତମାନ ଉପଲବ୍ଧ। ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ, ଗରିବଙ୍କୁ ଆହୁରି ସଶକ୍ତ କରିବା ପାଇଁ କାର୍ଯ୍ୟ କରାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଭାରତୀୟ ଦାରିଦ୍ର‌୍ୟରୁ ବାହାରକୁ ଆସିଛନ୍ତି।”

ଶ୍ରୀମତୀ ମୁର୍ମୁ କହିଛନ୍ତି, ତାଙ୍କ ସରକାର ଦୁର୍ନୀତି ଓ ସ୍କାମ୍ ମୁକାବିଲା କରିବାରେ ସଫଳ ହୋଇଛନ୍ତି। ସାର୍ବଜନୀନ ପାଣ୍ଠିର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରାଯାଇଛି। ସରକାର ଦଳିତ, ଅବହେଳିତ, ପଛୁଆ ବର୍ଗ ଓ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ସରକାର ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି,ସେସବୁ ସଫଳତାର ସହିତ କାର୍ଯ୍ୟ କରୁଛି। ଏକ ଦଶନ୍ଧି ପୂର୍ବରୁ ଦେଶରେ ମାତ୍ର ୫୦୦ ଷ୍ଟାର୍ଟ-ଅପ୍ ଥିଲା। କିନ୍ତୁ ଏବେ ଏହି ସଂଖ୍ୟା ହଜାର ହଜାର ସଂଖ୍ୟାରେ ପହଞ୍ଚିଛି। ପ୍ରଯୁକ୍ତିବିଦ୍ୟା ଓ ଏଆଇ ନିରନ୍ତର ଭାବେ ବିକଶିତ ହେଉଛି। ସରକାର ଓ ଯୁବପିଢ଼ିଙ୍କ ମିଳିତ ପ୍ରୟାସ ଯୋଗୁ ଦେଶରେ କ୍ରୀଡ଼ାର ବିକାଶ ଧାରା ଜାରି ରହିଛି। ସରକାର ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଆରମ୍ଭ କରିଛନ୍ତି ତଥା କ୍ରୀଡ଼ା ବିଭାଗଗୁଡ଼ିକରେ ସ୍ୱଚ୍ଛତା ଆଣିଛନ୍ତି। ଦେଶରେ ସମ୍ପ୍ରତି ୧୫୦ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି।

ଚଳିତ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ବୁଧବାର ଜାନଆରୀ ୨୮ରୁ ଆରମ୍ଭ ହୋଇଥିବା ବେଳେ ଏହା ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କାର୍ଯ୍ୟଦିବସ ଅର୍ଥାତ୍ ଜାନୁଆରୀ ୨୯ରେ ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ। ଏହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ। ଆସନ୍ତା ରବିବାର, ଫେବ୍ରୁଆରୀ ୧ ରେ ୨୦୨୬-୨୭ ଅର୍ଥବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। କ୍ରମାଗତ ୯ମ ଥର ପାଇଁ ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking