14.1 C
Bhubaneswar
Monday, December 8, 2025
Homeଓଡିଶାଝାରସୁଗୁଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ-ମନ୍ତ୍ରୀ

ଝାରସୁଗୁଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ-ମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ତଥା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ଅନୁଯାୟୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ସୁଦ୍ଧା ଝାରସୁଗୁଡ଼ା ହୃଦ୍‌ରୋଗ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ସହିତ ଶ୍ରୀ ଶ୍ରୀ ରବିଶଙ୍କର ଫାଉଣ୍ଡେସନ୍‌ ପକ୍ଷରୁ ପ୍ରସ୍ତାବିତ ମେଡ଼ିକାଲ କଲେଜ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲା ସଦର ମହକୁମା ହସ୍ପିଟାଲର ଉନ୍ନତିକରଣ ସହ ଖାଲିଥିବା ଡାକ୍ତର ପଦବୀଗୁଡ଼ିକୁ ପୂରଣ କରିବା ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା । ଲଖନପୁରଠାରେ ଖୁବ୍‌ଶୀଘ୍ର ଆଇଟିଆଇ ପ୍ରତିଷ୍ଠାନ ପ୍ରତିଷ୍ଠା ହେବାକୁ ଥିବାବେଳେ ବେଲ୍‌ପାହାଡ଼ଠାରେ ରେଳ ଓଭରବି୍ରଜ୍‌ କାର୍ଯ୍ୟ ଆରମ୍ଭ ହେବ । ଝାରସୁଗୁଡ଼ା ଜିଲ୍ଲାର କୁମାରବନ୍ଧ, ଟେମ୍ଫୋରିପଡ଼ା ରାସ୍ତାଠାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଭାୟା ରାମପେଲା ସେତୁ ପର୍ଯ୍ୟନ୍ତ ରାସ୍ତାର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ । ଜିଲ୍ଲାର ଲଖନପୁର ବ୍ଲକ୍‌ର ପୁଝାରିପାଲିଠାରୁ ବରଗଡ଼ ଜିଲ୍ଲା ଆମ୍ବଭନା ବ୍ଲକ୍‌ ଅନ୍ତର୍ଗତ ଜରିମୁଳି ପର୍ଯ୍ୟନ୍ତ ସମ୍ପର୍କ ସେତୁର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରାଯାଇଥିଲା ଓ ଏହି କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ଆଲୋଚନା ହୋଇଥିଲା । ଏମ୍‌ସିଏଲ୍‌ ମାଇନିଂ ଅଞ୍ଚଳଠାରୁ ବେଲପାହାଡ଼ ମହିମା ଛକ ପର୍ଯ୍ୟନ୍ତ କୋଲ୍‌ କରିଡର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଭିତ୍ତିଭୂମିର ପୁନଃନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ନୂତନ ଜଳସେଚନ ପ୍ରକଳ୍ପ ସହ ବ୍ରଜରାଜନଗର ମୁନିସିପାଲିଟି କଡ଼ରେ ଇବ୍‌ ନଦୀ କୂଳରେ ବନ୍ଧ ତଥା ରିଙ୍ଗ୍‌ରୋଡ଼୍‌ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଝାରସୁଗୁଡ଼ା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ ହେବା ସହିତ ସମସ୍ତ ପ୍ରକଳ୍ପର ଗୁଣାତ୍ମକ ମାନର ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦ୍ୱାରା ଜିଲ୍ଲାବାସୀ ଉପକୃତ ହୋଇପାରିବେ ।

ସମୀକ୍ଷା ବୈଠକରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତି୍ରପାଠୀ, ରାଜସ୍ୱ ଓ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଏସ୍‌. ଅଶ୍ୱଥି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍‌. ଏନ୍‌., ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡଙ୍ଗୀ, ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଦେବ ସିଂ, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନିଲ୍‌ ନର୍‌ଭଣେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking