17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଅନିୟନ୍ତ୍ରିତ ବିମାନ ଟିକଟ ବୃଦ୍ଧି ଉପରେ ଲାଗିଲା ସରକାରୀ ଅଙ୍କୁଶ

ଅନିୟନ୍ତ୍ରିତ ବିମାନ ଟିକଟ ବୃଦ୍ଧି ଉପରେ ଲାଗିଲା ସରକାରୀ ଅଙ୍କୁଶ

ନୂଆଦିଲ୍ଲୀ: ଗତ ୫ ଦିନ ଧରି ଚାଲିଥିବା ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ ବିମାନ କମ୍ପାନୀ ହଠାତ ନିଜ ଟିକଟ ଦରକୁ ମନଇଚ୍ଛା ବୃଦ୍ଧି କରିଛନ୍ତି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ମାମଲାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛନ୍ତି। ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଅନିୟନ୍ତ୍ରିତ ହୋଇପଡିଥିବା ଟିକଟ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଦିଗରେ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ଜରୁରିକାଳୀନ ପ୍ରଭାବ ଆଧାରରେ ଅଧିକତମ ଭଡ଼ା ସୀମା (ଫେୟାର କ୍ୟାପ) ନୀତି ଲାଗୁ କରିଛନ୍ତି। ସାର୍ବଜନିକ ହିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଥିବା କୁହାଯାଇଛି। କୌଣସି ବିମାନ କମ୍ପାନୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ।

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା ଅନୁସାରେ, ୫୦୦ କିମି ପର୍ଯ୍ୟନ୍ତ ବିମାନ ଟିକଟ ମୂଲ୍ୟ ୭୫୦୦ ଟଙ୍କା ଏବଂ ୫୦୦ରୁ ୧୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାତ୍ରା ଲାଗି ବିମାନ ଭଡ଼ା (ଟିକଟ ମୂଲ୍ୟ) ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ସେହିପରି ୧୦୦୦ରୁ ୧୫୦୦ କିମି ପାଇଁ ସର୍ବାଧିକ ୧୫ ହଜାର ଟଙ୍କା ଏବଂ ୧୫୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସର୍ବାଧିକ ୧୮ ହଜାର ଟଙ୍କା ଟିକଟ ଦର ଧାର୍ଯ୍ୟ କରାଯାଇଛି। ଦେଶ ଭିତରେ ଯାତ୍ରା ପାଇଁ ଏହି ମୂଲ୍ୟ ଲାଗୁ ହେବ। ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ଆଦେଶ ବିମାନ କମ୍ପାନୀର ୱେବସାଇଟ, ଅନ୍‌ଲାଇନ୍ ଟ୍ରାଭେଲ ସଂସ୍ତା ଏବଂ ସମସ୍ତ ଟିକଟ ବୁକିଂ ପ୍ଳାଟଫର୍ମ ଉପରେ ଲାଗୁ ହେବ। କୌଣସି ବୁକିଂ ପ୍ଲାଟଫର୍ମ ଏହାଠାରୁ ପୃଥକ୍ ଟିକଟ ଦର ଧାର୍ଯ୍ୟ କରିପାରିବେ ନାହିଁ। ସିଧାସଳଖ କହିଲେ ଟିକଟ ବାବଦରେ ଏହାଠାରୁ ଅଧିକ ଅର୍ଥ କୌଣସି ବିମାନ କମ୍ପାନୀ ଯାତ୍ରୀମାନଙ୍କ ଠାରୁ ସଂଗ୍ରହ କରିପାରିବେ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଡିଜିସିଏ ପକ୍ଷରୁ ଲାଗୁ ନିୟମ ଦ୍ୱାରା ଇଣ୍ଡିଗୋ ବିମାନ କମ୍ପାନୀର ପରିଚାଳନା ବ୍ୟବସ୍ଥା ଏକରକମ ଭୁଶୁଡିପଡିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଆସୁଛି। ଏସବୁ ମଧ୍ୟରେ ପାଇଲଟ୍‌ଙ୍କ ଅଭାବ, ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଦୈନିକ ଇଣ୍ଡିଗୋ ବିମାନର ହଜାର ହଜାର ସଂଖ୍ୟକ ଉଡ଼ାଣ ପ୍ରଭାବିତ ହୋଇଥିଲା। କମ୍ପାନୀ ପକ୍ଷରୁ କେତେକ ଉଡାଣକୁ ସମ୍ପୂର୍ଣ୍ଣ ରୂପେ ବାତିଲ୍ ମଧ୍ୟ କରିବାକୁ ପଡିଥିଲା ଯାହାଫଳରେ ବହୁ ଯାତ୍ରୀ ବିମାନ ଯାତ୍ରା କରିନପାରି ହନ୍ତସନ୍ତ ହୋଇଥିଲେ। ଗତ ୫ ଦିନ ଧରି ଚାଲିଥିବା ଏପ୍ରକାର ସମସ୍ୟାରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଅନ୍ୟ ବିମାନ କମ୍ପାନୀଗୁଡ଼ିକ ଫାଇଦା ହାସଲ ଲାଗି ଟିକେଟ ଦରକୁ ୪/୫ ଗୁଣା ବୃଦ୍ଧି କରିଥିଲେ। ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ଯେଉଁଠି ୧୫ ହଜାର ଟଙ୍କା ମଧ୍ୟରେ ହୋଇଯାଉଥିଲା କିଛି ବିମାନ କମ୍ପାନୀ ଏଥିପାଇଁ ୫୦ ହଜାର ଟଙ୍କାକୁ ଟିକଟ ମୂଲ୍ୟ ବୃଦ୍ଧି କରିଥିଲେ। ସେହିପରି ଦିଲ୍ଲୀରୁ ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଟିକେଟ ଦର ୪୦ ହଜାରରୁ ୮୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ସବୁକିଛି ନିୟନ୍ତ୍ରଣରେ ରହିବ ବୋଲି ଆଶା ସଞ୍ଚାର ହୋଇଛି।

ଅନ୍ୟପକ୍ଷେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶନିବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯୫% ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ଖୁବଶୀଘ୍ର ସ୍ୱାଭାବିକ୍ ସ୍ଥିତି ସୃଷ୍ଟି ହେବ ଏବଂ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଧାର୍ଯ୍ୟ ସମୟରେ ପହଞ୍ôଚପାରିବେ। ତଥାପି ବିମାନ ଚଳାଚଳ ସ୍ୱାଭାବିକ ହେବାପାଇଁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ଇଣ୍ଡିଗୋ ଦର୍ଶାଇଛି। ସେହିପରି ଯେଉଁଯାତ୍ରୀମାନେ ଏହି ଅବ୍ୟବସ୍ଥା ସମୟରେ ନିଜ ନିଜ ଟିକଟକୁ ବାତିଲ କରିଛନ୍ତି ବା କମ୍ପାନୀ ପକ୍ଷରୁ ବାତିଲ୍ ହୋଇଥିବା ବିମାନ ବାବଦ ଟିକଟ ଅର୍ଥ ସେମାନଙ୍କୁୂ ଆସନ୍ତାକାଲି ସନ୍ଧ୍ୟା ୮ଟା ସୁଦ୍ଧା ଫେରସ୍ତ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking