ଭୁବନେଶ୍ୱର : ଆଉ ସରକାରୀ ବାବୁଙ୍କ ମନମାନି ଚଳିବ ନାହିଁ। ଆର୍ଟିଆଇ ତଥ୍ୟକୁ ଅଣଦେଖା କଲେ ଗଣିବେ ତଣ୍ଡ। ଠିକ୍ ସମୟରେ ତଥ୍ୟ ନଦେବା, ଆଦୌ ତଥ୍ୟ ନଦେବା ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ଦେଇ ଭ୍ରମିତ କରିବା ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଛି। ଯାହାକୁ ନେଇ ରାଜ୍ୟ ସୂଚନା କମିଶନର ପ୍ରାଣବିନ୍ଦୁ ଆଚାର୍ଯ୍ୟ କଠୋର ହୋଇଛନ୍ତି। ଗତ ୬ମାସ ମଧ୍ୟରେ ଆର୍ଟିଆଇ ତଥ୍ୟକୁ ଅଣଦେଖା କରିଥିବା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, କୃଷି, ପୂର୍ତ୍ତ, ପଞ୍ଚାୟତରାଜ, ଶ୍ରମ ଆଦି ୫ ବିଭାଗର ୨୫ ଅôଦକାରୀଙ୍କୁ ୩.୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଛି ପଞ୍ଚାୟତିରାଜ ବିଭାଗ। ପଞ୍ଚାୟତିରାଜ ବିଭାଗର ଆର୍ଟିଆଇ ତଥ୍ୟ ଦେଇ ନଥିବାରୁ ୧୧ଜଣ ଅଧିକାରୀଙ୍କୁ ୧.୧୫ଲକ୍ଷ ଟଙ୍କା ଜରିମାନା କରାଯାଇଛି। ସେହିପରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟ ଦେଇନଥିବା ୬ଜଣ ଅଧିକାରୀଙ୍କୁ ୯୦ ହଜାର, ପୂର୍ତ୍ତବିଭାଗର ୨ଜଣ ଅଧିକାରୀଙ୍କୁ ୫୦ ହଜାର ଏବଂ କୃଷି ବିଭାଗର ୪ଜଣ ଅଧିକାରୀଙ୍କୁ ୩୫ ହଜାର ଏବଂ ଶ୍ରମ ବିଭାଗର ୨ଜଣ ଅଧିକାରୀଙ୍କୁ ୨୦ ହଜାର ଟଙ୍କା ଜରିମାନା ହୋଇଛି। ଏହି ଜରିମାନା ରାଶି ସଂପୃକ୍ତ ଅଧିକାରୀଙ୍କ ଦରମାରୁ ଆଦାୟ କରାଯିବ ବୋଲି ସୂଚନା କମିଶନର ଶ୍ରୀ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି।











