27.1 C
Bhubaneswar
Thursday, February 12, 2026
Homeଓଡିଶାସବୁଜଗୃହ ଗ୍ୟାସ ନିର୍ଗମନକୁ ହ୍ରାସ କରା ନଗଲେ ପୃଥିବୀର ତାପମାତ୍ର ୨.୭ ଡିଗ୍ରୀ ବୃଦ୍ଧି ପାଇବ:...

ସବୁଜଗୃହ ଗ୍ୟାସ ନିର୍ଗମନକୁ ହ୍ରାସ କରା ନଗଲେ ପୃଥିବୀର ତାପମାତ୍ର ୨.୭ ଡିଗ୍ରୀ ବୃଦ୍ଧି ପାଇବ: ଗବେଷକ

ଭୁବନେଶ୍ୱର: ପୃଥିବୀରେ ସବୁଜଗୃହ ଗ୍ୟାସ (ଗ୍ରୀନ୍‌ହାଉସ୍ ଗ୍ୟାସ) ନିର୍ଗମନକୁ ଯଦି ଶୀଘ୍ର ହ୍ରାସ କରା ନଯାଏ ତେବେ ପୃଥିବୀର ତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅଧିକ ୨.୭ ଡିଗ୍ରୀ ସେଲସିଅସ ବୃଦ୍ଧି ପାଇବ। ପ୍ରାପ୍ତ ସୂଚନା ଅନୁଯାୟୀ ପୃଥିବୀରେ ୧୯୯୦ ରୁ ୨୦୨୦ ମଧ୍ୟରେ ସବୁଜଗୃହ ଗ୍ୟାସ ୪୭ ପ୍ରତିଶତ ଓ ଅଙ୍ଗାରକାମ୍ଳ ଗ୍ୟାସ ୮୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବିଶିଷ୍ଟ ପାଣିପାଗବିତ୍ ଓ ଗବେଷକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ୱାର୍ଲ୍ଡ ମେଟିଓରୋଲଜିକାଲ୍ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍‌ଓ)ର ତଥ୍ୟକୁ ଉଦ୍ଧାର କରି ଡକ୍ଟର ସାହୁ କହିଛନ୍ତି ଯେ ଯଦିଓ ଜଳବାୟୁ ପରିବର୍ତନ ଉପରେ ୨୦୧୫ରେ ପ୍ୟାରିସରେ ହୋଇଥିବା ବୁଝାମଣା ଅନୁଯାୟୀ ପୃଥିବୀର ବୃଦ୍ଧି ପାଉଥିବା ତାପମାତ୍ରାକୁ ୨ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ସୀମାବଦ୍ଧ ରଖିବାକୁ ନିଷ୍ପତି ହୋଇଥିଲା ଏହି ତାପମାତ୍ରା ଏହାକୁ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଛି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର (ସେଂଟର ଫର କ୍ଲାଇମେଟ ଆଣ୍ଡ ଏନ୍‌ଭାଇରନ୍‌ମେଂଟ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ସାହୁ କହିଛନ୍ତି ଯେ ପରିବେଶରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଶିଳ୍ପାୟନ ପୂର୍ବ ସମୟ ଠାରୁ ୧୪୯ ପ୍ରତିଶତ ବୃଦ୍ଧି ପାଇଛି ଯାହା ଉଦ୍‌ବେଗଜନକ। ଏହା ପୃଥିବୀ ଓ ଭବିଷ୍ୟତ ପୀଢ଼ି ନିମନ୍ତେ ଉତମ ନୁହେଁ ବୋଲି ସେ କହିଛନ୍ତି। ଡକ୍ଟର ସାହୁ ସିଇସି ଓ ଆମେରିକାସ୍ଥିତ ରିଭର୍ସ ଅଫ୍ ଦି ୱାର୍ଲ୍ଡର ମିଳିତ ସହଯୋଗରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ୱାଟର, ୱେଷ୍ଟ ମ୍ୟାନେଜମେଂଟ ଆଣ୍ଡ କ୍ଲାଇମେଟ ଚେଞ୍ଜ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାରେ ବକ୍ତବ୍ୟ ରଖି ଏହା କହିଥିଲେ। ପୂର୍ବରୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ସାହୁ କହିଥିଲେ ଯେ ୨୦୧୫ରେ ପରିବେଶରେ ଅଙ୍ଗାରକାମ୍ଳ ଗ୍ୟାସ ୪୦୦ ପିପିଏମ୍ ଥିବା ବେଳେ ୨୦୨୦ରେ ଏହା ୪୧୩.୨ ପିପିଏମକୁ ବୃଦ୍ଧି ପାଇଥିଲା। ସେହିପରି ବାୟୁମଣ୍ଡଳରେ ମିଥେନ୍ ଓ ନାଇଟ୍ରସ ଅକ୍ସାଇଡର ମାତ୍ରା ୧୭୫୦ ମସିହା ତୁଳନାରେ ଯଥାକ୍ରମେ ୨୬୨ ପ୍ରତିଶତ ଓ ୧୨୩ ପ୍ରତିଶତ ବୃଦ୍ଧି ପାଇଛି।

ସେ କହିଥିଲେ ଯେ ଡବ୍ଲ୍ୟୁଏମ୍‌ଓ ତଥ୍ୟ ଅନୁଯାୟୀ ପୃଥିବୀ ପ୍ରାୟ ୩ ରୁ ୫ ନିୟୁତ ବର୍ଷ ପୂର୍ବେ ଅଙ୍ଗାରକାମ୍ଳର ତୁଳନୀୟ ଏକତ୍ରୀକରଣ ଅନୁଭବ କରିଥିଲା ଯେତେବେଳେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିଲା। ମାତ୍ର ସେତେବେଳେ ପୃଥିବୀର ଜନସଂଖ୍ୟା ୮୦୦ କୋଟି ନଥିଲା। ଏଥିରୁ ସବୁଜଗୃହ ଗ୍ୟାସର ନିର୍ଗମନ ପୃଥିବୀ ପ୍ରତି କେତେ ବିପଦଜନକ ତାହା ଅନୁମାନ କରାଯାଇପାରେ। ଏହି କର୍ମଶାଳାରେ ରିଭର୍ସ ଅଫ୍ ଦି ୱାର୍ଲ୍ଡ ର ଶ୍ରୀ ସୁବିଜୟ ଦତ, ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ବାଲା ପ୍ରସାଦ, ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଭିଏସଏସ୍ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ, ବୁର୍ଲାର ପ୍ରଫେସର ଅନିଲ କର ବକ୍ତବ୍ୟ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking