ଇସଲାମାବାଦ୍: ପୁଣି ଭାରତକୁ ନାଲିଆଖି ଦେଖାଇବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ତଥା ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ । ବିଲାୱଲ୍ ଭାରତକୁ ଧମକ ଦେଇ କହିଛନ୍ତି ଯେ, ଯଥାଶୀଘ୍ର ପାଣି ଛାଡ଼ ନଚେତ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ । ତାଙ୍କର ଏପ୍ରକାର ମନ୍ତବ୍ୟ ଭାରତ ପାଇଁ ଭଡକାଇବା ଭଳି ହୋଇଥିଲେ ମଧ୍ୟ ଭାରତ ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେବାକୁ ଆବଶ୍ୟକ ମନେ କରିନାହିଁ । ରିପୋର୍ଟ ଅନୁସାରେ ବିଲାୱଲ୍ କହିଛନ୍ତି, ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରାଯାଏ, ତେବେ ପାକିସ୍ତାନ କୁଆଡେ ସମସ୍ତ ଛଅଟି ନଦୀକୁ କବଜା କରିନେବ ଏବଂ ଯୁଦ୍ଧରୁ ମଧ୍ୟ ପଛକୁ ହଟିବ ନାହିଁ ।
୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେଉଁ ୫ଟି ବଡ଼ କୂଟନୈତିକ ନିଷ୍ପତ୍ତି ନେଇଥିଲା, ସେଥିମଧ୍ୟରୁ ସବୁଠୁ ବଡ଼ ନିଷ୍ପତ୍ତି ଥିଲା ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା । ଆଉ ଏହି ନିଷ୍ପତ୍ତି ପରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି । ଭାରତର ଏହି ଗୋଟିଏ ନିଷ୍ପତ୍ତିରେ ପାକିସ୍ତାନ ଏତେମାତ୍ରାରେ ବ୍ୟତିବ୍ୟସ୍ତ ହୋଇପଡିଛି ଯେ ଏହାର ନେତାମାନେ ବରାବର ବିଭ୍ରାନ୍ତିକର ବୟାନବାଜି କରିବା ସହ ଭାରତକୁ ଧମକ ଦେବାରେ ଲାଗିଛନ୍ତି । ପ୍ରକାଶ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସିନ୍ଧୁ ଜଳ ଚୁକ୍ତି କେବେବି ପୁନଃସ୍ଥାପିତ ହେବ ନାହିଁ । ଏହାକୁ ନେଇ ବିଲାୱାଲ ହୁଏତ ଏପ୍ରକାର ବୟାନ୍ବାଜି କରିଛନ୍ତି ।
ତେବେ ଏପ୍ରକାର ବୟାନବାଜିକୁ ନେଇ ଭାରତ ଚିନ୍ତିତ ନୁହେଁ । ପୂର୍ବରୁ ମଧ୍ୟ ବିଲାୱଲ୍ କହିଥିଲେ ଯେ, ସିନ୍ଧୁ ନଦୀରେ ପାଣି ବହିବ ନଚେତ୍ ରକ୍ତ ବହିବ । କିନ୍ତୁ ଭାରତୀୟ ସେନାର ଅପରେସନ୍ ସିନ୍ଦୂର ପରେ ତାଙ୍କର ଏପ୍ରକାର ବୟାନବାଜି ଫିକା ପଡ଼ିଯାଇଥିଲା । ତେବେ କେବଳ ବିଲାୱଲ୍ ନୁହଁନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମଧ୍ୟ ଏବେ ଭାରତ ସହ ସମ୍ପର୍କକୁ ସୁଧାରିବା ଦିଗରେ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଶେହବାଜ୍ ଏବେ ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ମଧ୍ୟସ୍ଥି ଖୋଜିବାରେ ଲାଗିଛନ୍ତି । ନିକଟରେ ଶେହବାଜ୍ କତାର ସରକାରଙ୍କୁ ଭାରତ ଏବଂ ପାକିସ୍ତାନ ଆଲୋଚନା ଆରମ୍ଭ କରାଇବା ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିବା ନେଇ ମଧ୍ୟ ରିପୋର୍ଟ ଆସିଥିଲା ।










