ଚୀନ୍ ପ୍ରସ୍ତୁତ ରୋବଟ୍ ଏବଂ କୋରିଆନ୍ ଡ୍ରୋନ୍କୁ ନିଜର ବୋଲି ଦର୍ଶାଇଥିବା ଅଭିଯୋଗ
ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଦର୍ଶିତ ହେଉଥିବା ମେଗା ଏଆଇ ଏକ୍ସପୋ’ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଚୀନ୍ ନିର୍ମିତ ଏକ ରୋବୋଟିକ୍ କୁକୁର ଏବଂ ଏକ କୋରିଆନ୍ କମ୍ପାନୀ ନିର୍ମିତ ଡ୍ରୋନ୍କୁ ନିଜ ପ୍ରସ୍ତୁତ ବୋଲି ଦାବି କରିବା ପୂର୍ବକ ଏକ୍ସପୋ’ରେ ପ୍ରଦର୍ଶିତ କରୁଥିବା ଅଭିଯୋଗରେ ଗାଲ୍ଗୋଟିଆସ୍ ବିଶ୍ୱବିଦ୍ୟାଳୟକୁ ଏକ୍ସପୋ’ରୁ ବିଦା କରିଦିଆଯାଇଛି। ତେବେ ଏହି ଘଟଣାକୁ ବିରୋଧୀ କଂଗ୍ରେସ ରାଜନୈତିକ ଅସ୍ତ୍ର କରିବା ପୂର୍ବକ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି, ଯାହାଫଳରେ ଏହା ଏବେ ଏକ ବଡ଼ ପ୍ରସଙ୍ଗ ପାଲଟିଯାଇଛି। ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ କଂଗ୍ରେସ କହିଛି ଯେ, ସରକାର ଦେଶର ଛବିକୁ କ୍ଷୁର୍ଣ୍ଣ କରିଛି। ଚୀନ୍ ଗଣମାଧ୍ୟମ ଆମକୁ ଉପହାସ କରିଛି। ଏହା ଭାରତ ପାଇଁ ଏକ ପ୍ରକୃତ ଲଜ୍ଜାଜନକ ଘଟଣା।
ବିଶ୍ୱବିଦ୍ୟାଳୟ ଏହି ରୋବୋଟିକ୍ କୁକୁରକୁ ନିଜର ବୋଲି ଦାବି କରୁଥିବା ବେଳେ ଏହାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏପରିକି ବିଶ୍ୱବିଦ୍ୟାଳୟର ନେହା ସିଂହ ନାମ୍ନୀ ଜଣେ ପ୍ରଫେସର ଦୃଢ଼ତାର ସହ ଏହି ରୋବୋଟିକ୍ କୁକୁରର ନାମ “ଓରାଏନ୍” ଏବଂ ଏହାକୁ ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍ ଏକ୍ସଲେନ୍ସ ଦ୍ୱାରା ବିକଶିତ କରାଯାଇଛି ବୋଲି କହୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ତେବେ ଭିଡିଓଟି ଭାଇରାଲ୍ ହେବା ପରେ ଅନେକ ଟେକ୍ ବିଶେଷଜ୍ଞ ଏବଂ ବ୍ୟବହାରକାରୀ ଦାବି କରିଥିଲେ ଯେ, ଏହା ପ୍ରକୃତରେ ଚୀନ୍ କମ୍ପାନୀ “ୟୁନିଟ୍ରି”ର “ଜିଓ୨” ମଡେଲ୍, ଯାହା ବଜାରରେ ୨ରୁ ୩ ଲକ୍ଷରେ ଉପଲବ୍ଧ ହେଉଛି। ତେବେ ଏହାକୁ ନେଇ ବିବାଦ ବଢ଼ିବା ମଧ୍ୟରେ ଫଳରେ ଆୟୋଜକମଣ୍ଡଳୀ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱିବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଏହାକୁ ଏକ୍ସପୋ’ରୁ ବହିଷ୍କାର କରିଛନ୍ତି। ଆୟୋଜକମଣ୍ଡଳୀ ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟକୁ ଏହାର ଷ୍ଟଲ୍ ହଟାଇ ସ୍ଥାନ ଖାଲି କରିବାକୁ କହିଥିଲେ। ରିପୋର୍ଟ ଲେଖାହେବା ବେଳକୁ ଗାଲ୍ଗୋଟିଆସ୍ ବିଶ୍ୱବିଦ୍ୟାଳୟର ପାଭିଲିୟନ୍କୁ ଏକ୍ସପୋ’ ପରିସରରୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ କାର୍ଯ୍ୟାନୁଷ୍ଠାନ ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବାକୁ ଚେଷ୍ଟା କରାଯାଇଛି। ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ କହିଛି, “ଆମେ କ୍ୟାମ୍ପସକୁ ସର୍ବୋତ୍ତମ ପ୍ରଯୁକ୍ତିବିଦ୍ୟା ଆଣିବା ପାଇଁ ନିରନ୍ତର ପ୍ରୟାସ କରିଛୁ। କାରଣ ଯେତେବେଳେ ଛାତ୍ରମାନେ ନୂତନ ଜିନିଷ ଦେଖନ୍ତି, ସେମାନଙ୍କର ଚିନ୍ତାଧାରା ବିକଶିତ ହୁଏ। ଏବଂ ଏହି ଚିନ୍ତାଧାରା ନୂତନ ସୃଷ୍ଟିକର୍ତ୍ତାଙ୍କୁ ଜନ୍ମ ଦିଏ। ପ୍ରଦର୍ଶିତ ରୋବୋଟିକ୍ କୁକୁର ମଧ୍ୟ ଏହି ଯାତ୍ରାର ଏକ ଅଂଶ। ଏହା କେବଳ ପ୍ରଦର୍ଶନ ପାଇଁ ଏକ ମେସିନ୍ ନୁହେଁ; ଏହା ଏକ ଭ୍ରାମ୍ୟମାଣ ଶ୍ରେଣୀଗୃହ। ଆମର ଛାତ୍ରମାନେ ଏହା ସହିତ ପରୀକ୍ଷଣ କରୁଛନ୍ତି, ଏହାର କ୍ଷମତା ପରୀକ୍ଷା କରୁଛନ୍ତି ଏବଂ ଏହି ପ୍ରକ୍ରିୟାରେ ସେମାନଙ୍କର ଜ୍ଞାନକୁ ବିସ୍ତାର କରୁଛନ୍ତି। ଏହି ରୋବୋଟିକ୍ କୁକୁରକୁ ଆମେ ସୃଷ୍ଟି କରିଥିବାର ଦାବି ଆମେ କେଉଁଠି ବି କରିନାହୁଁ।” ସେହିପରି ପ୍ରଫେସର ନେହା ସିଂହ କହିଛନ୍ତି, ବିବାଦ ସୃଷ୍ଟି ହୋଇଥିଲା କାରଣ ହୁଏତ ଜିନିଷଗୁଡ଼ିକ ସ୍ପଷ୍ଟ ଭାବରେ କୁହାଯାଇନଥିଲା।










