19.1 C
Bhubaneswar
Tuesday, February 10, 2026
Homeଓଡିଶାସାମ୍ବାଦିକଙ୍କ ଦାବି ପୂରଣ କର, ନହେଲେ ବିଧାନସଭା ସମ୍ମୁଖରେ ଧାରଣା

ସାମ୍ବାଦିକଙ୍କ ଦାବି ପୂରଣ କର, ନହେଲେ ବିଧାନସଭା ସମ୍ମୁଖରେ ଧାରଣା

ଭୁବନେଶ୍ୱର: ସାମ୍ବାଦିକଙ୍କ ଦାବି ପୂରଣ କର, ନହେଲେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ। ଏଭଳି ଚେତାବନୀ ଦେଇଛି ରାଜ୍ୟର ପ୍ରମୁଖ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍ ବା ଓୟୁଜେ। ଏହି ମର୍ମରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ଓୟୁଜେ ଭବନଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ୍ର ଏକ ସ୍ୱତନ୍ତ୍ର ଅଧିବେଶନରେ ନିରାପତ୍ତାଠାରୁ ଆରମ୍ଭକରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଛି। ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୟୁନିଅନର ମୂଳ ଦାବି ସାମ୍ବାଦିକଙ୍କୁ ପେନ୍‌ସନ ପ୍ରଦାନ, ସୁରକ୍ଷା ଆଇନ୍ ପ୍ରଣୟନ ଓ ଅଧିସ୍ୱୀକୃତି କମିଟି ଗଠନ ସହ ନିୟମ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଓୟୁଜେ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛି ଯେ, ନୂଆ ସରକାର ଦାୟିତ୍ୱ ନେବାର ଆଠମାସ ବିତିବାକୁ ବସିଥିଲେ ମଧ୍ୟ ସାମ୍ବାଦିକମାନଙ୍କର ପ୍ରମୁଖ ଦାବି ପୂରଣ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସରକାରଙ୍କ ଏଭଳି ଉଦାସୀନତା ପ୍ରତିବାଦରେ ବିଧାନସଭାର ଆଗାମୀ ଅଧିବେଶନ ସମୟରେ ସାମ୍ବାଦିକମାନେ ଧାରଣା ଦେବେ। ପୂର୍ବ ସରକାର ସମୟରେ ଅନେକ ଦାବି ପୂରଣ ହୋଇ ନ ଥିଲାବେଳେ ବର୍ତ୍ତମାନ ସରକାର ଏ ଦିଗରେ କାଳକ୍ଷେପଣ ନୀତି ଗ୍ରହଣ କରୁଛନ୍ତି। ବିଧାନସଭାର ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନ ନେଲେ ଓୟୁଜେ ବାଧ୍ୟ ହୋଇ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇବ ଓ ବିଧାନସଭା ସମ୍ମୁଖରେ ସାମ୍ବାଦିକମାନଙ୍କର ପ୍ରତିବାଦ ସମାବେଶ ଅନୁଷ୍ଠିତ ହେବ।

ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଦାବିଗୁଡ଼ିକ ବାବଦରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବୈଠକରେ ଯୋଗଦେଇ ସାମ୍ବାଦିକମାନଙ୍କର ଦାବି ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ବିଧାନସଭା ଆସନରେ ଅଧିବେଶନ କାଳରେ ଏସବୁ ପ୍ରସଙ୍ଗରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସରକାର କେତେଦୂର ଗୁରୁତ୍ୱ ଦେଉଛନ୍ତି ତାହା ଦେଖିବା କଥା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓୟୁଜେର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ସମ୍ପାଦକ ପ୍ରସନ୍ନ ପାଇକରାୟ ଓ ପ୍ରଶାନ୍ତ ବେହେରା, ବରିଷ୍ଠ ସଦସ୍ୟ ହଳଧର ଧୀର ଓ ପରିକ୍ଷୀତ ବିଶ୍ୱାଳ, ଅକ୍ଷୟ ସାହୁ, ଅଭୟ ପତି, ପ୍ରମୋଦ ସାମନ୍ତରାୟ, ଦୀପକ ସମଜଦା,ର୍ କିଷାନ ରାଉତ, ସୁରେଶ ଦାଶ, ପ୍ରଫୁଲ୍ଲ ମହାନ୍ତି, ମୁନା ସିଂ ଓ କ୍ଷେତ୍ରବାସୀ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking