ଭୁବନେଶ୍ୱର: ଆଜିଠୁ ମା’ ଦୁର୍ଗାଙ୍କ ନବରାତ୍ରି ପୂଜା । ନବରାତ୍ରିର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠାତା ହେବା ପରେ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମାଙ୍କ ଷୋଡଶ ଉପଚାର ଜାରି ରହିଥିବା ବେଳେ ନବରାତ୍ରି ଅବସରରେମାଙ୍କ ଗର୍ଭ ଗୃହକୁ ଯାଇ ଶ୍ରଦ୍ଧାଳୁ ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ । କେବଳ ମା’ ବିରଜା ନୁହେଁ ରାଜ୍ୟର ଅନ୍ୟ ଶକ୍ତିପୀଠ ଗୁଡିକରେ ମଧ୍ୟ ମାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଉଛି ।










