ପୁରୀ : ମଦ ପାଇଁ କେତେ ବେଳେ କିଏ କାହାକୁ ହତ୍ୟା କରୁଛି ତା’ର କିଛି ହିସାବ ନାହିଁ । ହେଲେ ଗୋଟିଏ ଗ୍ଲାସ ମଦ ନଦେବାରୁ ସାଙ୍ଗକୁ ଆଉଜଣେ ସାଙ୍ଗ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ଦେଖିବାକୁ ମିଳିଛି ପୁରୀ ଧୋବାବାଲି ବସ୍ତି ନିକଟ ବେଳାଭୂମିରେ ।
ପୁରୀ ଧୋବାଖାଲ ବସ୍ତି ନିକଟ ସମୁଦ୍ର ବାଲିରୁ ଗତକାଲି ଉଦ୍ଧାର ହୋଇଥିଲା ଯୁବକର ମୃତଦେହ।ମୃତ ଯୁବକ ହେଉଛନ୍ତି ବଡ଼ଶଙ୍ଖ ସୁଦର୍ଶନ ନଗରର ସମୀର ବାରିକ ଓରଫ ତପୁ ।ଅଭିଯୁକ୍ତ ଗୋବିନ୍ଦ ଓରଫ କାଳୁ କୁ ଗିରଫ କରିଛି ପୋଲିସ୍ ।ଘଟଣା ସ୍ଥଳରୁ ରକ୍ତ ଲାଗିଥିବା ଧାରୁଆ ଖଣ୍ଡା,ରକ୍ତ ଲାଗିଥିବା ଇଟା,ଖଣ୍ଡାର କାଠ ହ୍ୟାଣ୍ଡଲ,ରକ୍ତ ଲାଗିଥିବା କଳା ରଙ୍ଗର ସାର୍ଟ ,ରବର୍ ସାଣ୍ଡାଲ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି ପୋଲିସ୍ ।୨୭ ମାର୍ଚ୍ଚ ସନ୍ଧ୍ୟାରେ କାଳୁ ଓରଫ ଗୋବିନ୍ଦ ପାଇକରାୟ, ସାଙ୍ଗ ତପୁ ଓରଫ ସମୀର ବାରିକ, କାଲା ଓରଫ ବାବୁଲା ବେହେରା, କୁନା ପ୍ରଧାନ ଏବଂ କୁନା ଦାସ ବଡ଼ଶଙ୍ଖରେ ଏକତ୍ରିତ ହୋଇଥିଲେ । ଯେଉଁଠାରେ କାଳୁ ଓରଫ ଗୋବିନ୍ଦ ପାଇକରାୟ ଅନ୍ୟମାନଙ୍କୁ ଧୋବାଖାଲରେ ମଦ୍ୟପାନ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାତି ପ୍ରାୟ ୧୨ଟା ରେ ସମସ୍ତେ ତାରିଣୀ ବସ୍ତିକୁ ଯାଇଥିଲେ, କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ, କାଲୁ,ଅନ୍ୟମାନଙ୍କୁ ମଦ ଯୋଗାଇ ପାରିନଥିଲେ। ତେଣୁ ସେମାନେ କାଲୁ ସହିତ ଝଗଡ଼ା ଆରମ୍ଭ କରି ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। କ୍ରୋଧରେ ଅଭିଯୁକ୍ତ କାଳୁ, ତପୁ , କାଲା ଙ୍କୁ ଧାରୁଆ କଟା ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ, ଫଳସ୍ୱରୂପ କାଲା ବେକରେ ଆଘାତ ଲାଗିଥିଲା। ତପୁ ଓରଫ ସମୀର ବାରିକଙ୍କ ବେକ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ଆଘାତ ପାଇବା ପରେ ତପୁ ସେଠାରେ ପଡ଼ିଯାଇଥିଲେ। ପୁନର୍ବାର ଅଭିଯୁକ୍ତ କାଲୁ ଇଟା ସାହାଯ୍ୟରେ ସମୀର ବାରିକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ, ଫଳସ୍ୱରୂପ ସମୀର ବାରିକ ସେଠାରେ ଆହତ ହୋଇଥିଲେ।










