ନୂଆଦିଲ୍ଲୀ: ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟ୍ରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥାରେ ବିଜୟୀ ହେବା ଲାଗି ବର୍ନିଅରଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା। କିନ୍ତୁ ୩୩୧ଜଣ ତାଙ୍କ ବିରୋଧରେ ଭୋଟ୍ ଦେବା ସହିତ ଅନାସ୍ଥାକୁ ସମର୍ଥନ କରିଥିଲେ। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀ ବାମ ମେଣ୍ଟ ଦଳଗୁଡ଼ିକ ସହିତ ଶାସକ ଦଳର ସଦସ୍ୟମାନେ ବି ଭୋଟ୍ ଦେଇଥିଲେ। ଯାହା ଫଳରେ ବର୍ନିଅରଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ରିପୋର୍ଟ ଅନୁସାରେ ସେ ଆଜି ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ର ମାକ୍ରୋନ୍ଙ୍କୁ ପଠାଇଦେଇଥିବା ଜଣାପଡିଛି। ତେବେ ସାମ୍ବିଧାନିକ ନିୟମ ଅନୁସାରେ ଆସନ୍ତା ୨୦୨୫ ଜୁଲାଇ ମାସ ପୂର୍ବରୁ ଫ୍ରାନ୍ସରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ। ତେଣୁ ରାଷ୍ଟ୍ରପତିଙ୍କୁ ଆଉ ଜଣେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ପଡ଼ିବ। ସେପର୍ଯ୍ୟନ୍ତ ବର୍ନିଅର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ। ଏପରି ଘଟଣା ଫ୍ରାନ୍ସ ଇତିହାସରେ ଗତ ୬୦ ବର୍ଷରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।
ମାତ୍ର ୩ ମାସ ଭିତରେ ଭାଙ୍ଗିଗଲା ଫ୍ରାନ୍ସର ମିସେଲ ମାଇକେଲ ବର୍ନିଅରଙ୍କ ନେତୃତ୍ୱାଧୀନ ସରକାର। ପ୍ରଥମ ଥର ପାଇଁ ଜାତୀୟ ସଭାର ନିମ୍ନ ଗୃହ ସରକାରଙ୍କୁ ହଟାଇବା ପାଇଁ ଏକ ପ୍ରସ୍ତାବ ପାରିତ କରି ଅନାସ୍ଥା ଭୋଟ୍କୁ ଅନୁମୋଦନ କରିବା ଏବଂ ଅନାସ୍ଥା ଭୋଟ୍ରେ ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭୋଟ୍ ଦେଇ ତାଙ୍କୁ ପଦରୁ ହଟାଇବା ଭଳି ଘଟଣା ଦେଖିବାକୁ ମିଳିଛି। ବର୍ନିଅରଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଦେଶର ବାମପନ୍ଥୀ (ଲେଫ୍ଟ ୱିଙ୍ଗ୍) ଦଳ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ମେରିନ୍ଲେ ପେନ୍ଙ୍କ ନେତୃତ୍ୱରେ ରାଇଟ୍ ୱିଙ୍ଗ୍ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। ପ୍ରକାଶ, ୩ ମାସ ତଳେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ଭବେ ବର୍ନିଅରଙ୍କୁ ନିଯୁକ୍ତ କରିଥିଲେ। ସୂଚନାଯୋଗ୍ୟ, ୟୁରୋପୀୟ ସଂଘ ନିର୍ବାଚନରେ ଫ୍ରାନ୍ସର ମାରିଏନ ଲା ପେନ୍ଙ୍କ ନ୍ୟାସନାଲ ରାଲି ପାର୍ଟି ବହୁମତ ସହିତ ବିଜୟୀ ହେବା ପରେ ଦେଶରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି।