ହୋସିଆରପୁର: ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ପଞ୍ଜାବର ହୋସିଆରପୁରରେ ପୁଲିସ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ବିଫଳ କରିବାରେ ସଫଳ ହୋଇଛି। ରିପୋର୍ଟ ଅନୁସାରେ ଏଠାରୁ ୪ ସଶସ୍ତ୍ର ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ଏମାନଙ୍କର ସମ୍ପର୍କ ନିଷିଦ୍ଧ ପାକିସ୍ତାନୀ ଆଇଏସ୍ଆଇ-ସମର୍ôଥତ ସଂଗଠନ ବାବର ଖାଲ୍ସା ଇଣ୍ଟରନ୍ୟାସନାଲ (ବିକେଆଇ) ସହ ଥିବା ଜଣାପଡିଛି। ସବୁଠୁ ବଡ଼କଥା ହେଉଛି ଏହି ସଂଗଠନ ଆମେରିକାରେ ଥିବା ବେଳେ ସେଠାରୁ ନିଜ ନେଟୱାର୍କକୁ ପରିଚାଳିତ କରୁଛି। ଅନ୍ୟପକ୍ଷେ ଆଇଏସ୍ଆଇ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଆଦି ଯୋଗାଉଥିଲା। ତେବେ ଗିରଫ ସମୟରେ ଏମାନଙ୍କ ନିକଟରୁ ପ୍ରାୟ ୨.୫ କିଲୋ ବିସ୍ଫୋରକ ସାମଗ୍ରୀ ସହ କିଛି ପିସ୍ତଲ ଏବଂ ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି।
ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି ଯେ, ଏମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ଏସ୍ଏସ୍ପି ସନ୍ଦୀପ ମଲିକଙ୍କ ନେତୃତ୍ୱରେ ଏକ ଗୁପ୍ତ ଅପରେସନ୍ କରାଯାଇଥିଲା। ଏହି ଆତଙ୍କବାଦୀମାନେ ଜାନୁଆରୀ ୨୬ରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପାଳନକୁ ଟାର୍ଗେଟ କରିଥିଲେ। ସେହିପରି ଏମାନଙ୍କ ଠାରୁ ଜବତ ହୋଇଥିବା ବିସ୍ଫୋରକ ସାର୍ବଜନୀନ ସ୍ଥାନ କିମ୍ବା କାର୍ଯ୍ୟକ୍ରମରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ଏହା ପୂର୍ବରୁ ହିଁ ଏମାନଙ୍କୁ କାବୁ କରିନିଆଯାଇଛି।
ଗିରଫ ଆତଙ୍କବାଦୀମାନେ ଦିଲଜୋତ ସିଂହ, ହରମନ ସିଂହ ଓରଫ ହ୍ୟାରି ଓରଫ ହରି, ଅଜୟ ଓରଫ ମାହିରା ଏବଂ ଅର୍ଶଦୀପ ସିଂହ ଓରଫ ଅର୍ଶ କାଣ୍ଡୋଲା ଭାବରେ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଏସ୍ବିଏସ୍ ନଗର ଜିଲ୍ଲାର ରାହୋନ ଅଞ୍ଚଳର ବାସିନ୍ଦା। ଏମାନେ ଦୀର୍ଘ ଦିନ ଧରି ରାଜ୍ୟର ଶାନ୍ତି ବିପର୍ଯ୍ୟସ୍ତ କରିବାରେ ସକ୍ରିୟ ଥିଲେ। ଅନ୍ୟପକ୍ଷେ ହୋସିଆରପୁର ପୁଲିସ ଗିରଫ ହୋଇଥିବା ଚାରି ଆତଙ୍କବାଦୀଙ୍କୁ ପଚରାଉଚରା ଜାରି ରଖିଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ ପାଇଁ ମଡ୍ୟୁଲର ବିଭିନ୍ନ ଲିଙ୍କ୍ ନେଇ ତଦନ୍ତ ଜାରି ରଖିଛନ୍ତି। ରାଜ୍ୟରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରକାଶ, ଆଇଏସ୍ଆଇ ଏହି ନିଷିଦ୍ଧ ସଂଗଠନ ମାଧ୍ୟମରେ ଭାରତର ସୀମାନ୍ତ ରାଜ୍ୟଗୁଡ଼ିକରେ ଟାର୍ଗେଟ ଆକ୍ରମଣ କରିବା ସହିତ ସାମାଜିକ ସ୍ଥିରତାକୁ ନଷ୍ଟ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଜଣାପଡ଼ିଛି।










