ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ । ପୂର୍ବତନ ସରପଞ୍ଚ ତଥା ସମବାୟ ସେବା ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା ହୋଇଥିବା ଅଭିଯୋଗ କରିଲେ ପରିବାର ଲୋକେ । ନାଳରୁ ଚିତ୍ତ ରଞ୍ଜନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ମୁଣ୍ଡର ପଛ ପଟେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଚିତ୍ତ ରଞ୍ଜନ ରାଉତ ମଙ୍ଗଳବାର ଗାଁର ଏକ ଅଷ୍ଟପ୍ରହରୀକୁ ଯାଇଥିଲେ । ସେଠାକୁ ଯାଇ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ବୁଧବାର ସକାଳୁ ଘର ପାଖ ଏକ ନାଳରେ ଚିତ୍ତ ରଞ୍ଜନଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ଗାଁ ଲୋକେ । ଏହା ଦେଖି ତୁରନ୍ତ ତାଙ୍କ ପରିବାର ଲୋକ ଏବଂ ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ପୋଲିସ ଚିତ୍ତ ରଞ୍ଜନଙ୍କ ମୃତଦେହକୁ ନାଳରୁ ଉଦ୍ଧାର କରିଥିବା ବେଳେ ମୁଣ୍ଡର ପଛ ପଟେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ତେଣୁ ଏନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯେଗ କରି ତଦନ୍ତ ପାଇଁ ଦାବି କରିଛନ୍ତି । ଚିତ୍ତ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉକ୍ତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।