26.1 C
Bhubaneswar
Friday, December 27, 2024
Homeଦେଶ ବିଦେଶପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ (୧୯୩୨-୨୦୨୪)

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ (୧୯୩୨-୨୦୨୪)

– ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
– ଦେଶବ୍ୟାପୀ ଶୋକର ଛାୟା
– ସବୁ କାର୍ଯ୍ୟକ୍ରମ ବାତିଲ କଲା କଂଗ୍ରେସ

ନୂଆଦିଲ୍ଲୀ: ଗୁରୁବାର ପୂର୍ବତନ (୧୩ତମ) ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ସିଂ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କଂଗ୍ରେସ ନେତା ସଲମାନ୍ ଖୁର୍ସିଦ୍ ଜାତୀୟ ଗଣମାଧ୍ୟମକୁ ଶ୍ରୀ ସିଂଙ୍କ ପରଲୋକ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି। ଅନ୍ତିମ ସମୟରେ ଶ୍ରୀ ସିଂହଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ। ଗୁରୁବାର ସନ୍ଧ୍ୟାରେ ଶ୍ରୀ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ସନ୍ଧ୍ୟା ୮ଟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଡାକ୍ତରୀ ଦଳ ଆଇସିୟୁ ସପୋର୍ଟରେ ରଖିଥିଲେ ଏବଂ ଦିଲ୍ଲୀ ଏମ୍ସର ଏକ ବରିଷ୍ଠ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ତେବେ ରାତ୍ର ୯.୫୧ ମିନିଟ୍ ସମୟରେ ତାଙ୍କର ପରଲୋକଗତ ସମ୍ବାଦ ସାମ୍ନାକୁ ଆସିଛି।

ଶ୍ରୀ ସିଂଙ୍କ ପରଲୋକଗତ ସମ୍ବାଦ ପ୍ରସାରିତ ହେବା ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି। ଶ୍ରୀ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯିବା ପର ଠାରୁ କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀ ଏମ୍ସରେ ଆସିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତାକାଲି ପାଇଁ ଧାର୍ଯ୍ୟ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଦଳ ବାତିଲ୍ କରିଥିବା ଜଣାପଡିଛି। ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ୍ ଖର୍ଗେ ମଧ୍ୟ ନିଜ କର୍ଣ୍ଣାଟକ କାର୍ଯ୍ୟକ୍ରମକୁ ବାତିଲ କରି ଦିଲ୍ଳୀ ଫେରୁଥିବା ଦଳ ସୂଚନା ଦେଇଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦିଲ୍ଲୀ ଏମ୍ସରେ ପହଞ୍ôଚଥିବା ସୂଚନା ମିଳିଛି। ବିଜେପି ନେତାଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦିଲ୍ଲୀ ଏମ୍ସରେ ଆସି ପହଞ୍ôଚଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସିଂହଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଅନ୍ୟ ଦଳର ନେତାମାନେ ମଧ୍ୟ ଶ୍ରୀ ସିଂହଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଆସିବାରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟ କରି ଶୋକବ୍ୟକ୍ତ କରିଛନ୍ତି। ମୋଦୀ ଲେଖିଛନ୍ତି, ଦେଶ ଆଜି ଜଣେ ମହାନ୍ ଅର୍ଥନୀତିଜ୍ଞ, ପ୍ରଖ୍ୟାତ ରାଜନୈତିକ ବିଶାରଦଙ୍କୁ ସବୁଦିନ ପାଇଁ ହରାଇଛି। ଦେଶର ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହେବା ପାଇଁ ସେ ଭାରତରେ ଜନ୍ମଗ୍ରହଣ କରିଥିଲେ। ଅର୍ଥମନ୍ତ୍ରୀ ସମେତ ବିଭିନ୍ନ ସରକାରୀ ପଦବୀରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଦେଶର ଅର୍ଥନୀତିକୁ ରୁଦ୍ଧିମନ୍ତ କରିବାରେ ତାଙ୍କ ଅବଦାନ ଅତୁଳନୀୟ। ସଂସଦରେ ତାଙ୍କର ହସ୍ତକ୍ଷେପ ମଧ୍ୟ ଅନ୍ତର୍ନିହିତ ଥିଲା। ଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ।

୧୯୩୨, ସେପ୍ଟେମ୍ବର ୨୬ରେ ଗାହ (ପଶ୍ଚିମ ପଞ୍ଜାବ-ଏବେ ପାକିସ୍ତାନରେ) ଠାରେ ଜନ୍ମଗ୍ରହଣ କରିଥିବା ମନମୋହନ୍ ସିଂହ ୧୯୫୨ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ବ୍ୟାଚେଲର ଡିଗ୍ରୀ ଶେଷ କରିଥିଲେ। ପରେ ୧୯୫୪ରେ ସେ ଏଠାରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅକ୍ସଫୋର୍ଡ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାରୁ ଅର୍ଥନୀତିରେ ଡକ୍ଟରେଟ୍ ଲାଭ କରିଥିଲେ। ଜଣେ ଶିକ୍ଷାବିତ୍ (ପ୍ରଫେସର) ଭାବେ ନିଜ ପେଶାଦାର କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ସିଂହ, ଘଟଣାକ୍ରମେ ୧୯୭୦-୮୦ ମଧ୍ୟରେ ଶ୍ରୀ ସିଂହ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଥିଲେ। ୧୯୭୧-୭୨ମଧ୍ୟରେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ବିଭାଗର ଅର୍ଥନୈତିକ ପରାମର୍ଶ ଦାତା ଭାବେ ସେ ନିଯୁକ୍ତ ହୋଇଥିଲେ। ପରେ ୧୯୭୨ରୁ ୧୯୭୬ ମଧ୍ୟରେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ଭାବେ, ୧୯୭୬ରୁ ୧୯୮୦ ମଧ୍ୟରେ ଆରବିଆଇର ନିର୍ଦ୍ଦେଶ ତଥା ଆଇଡିବି ବ୍ୟାଙ୍କର ନିର୍ଦ୍ଦେଶକ ଭାବେ, ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ୧୫ତମ ଗଭର୍ଣ୍ଣର ଭାବେ ଏବଂ ୧୯୮୫ରୁ ୧୯୮୭ ମଧ୍ୟରେ ଯୋଜନା ଆୟୋଗର ଉପାଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଥିଲେ। ଏତଦ୍‌ବ୍ୟତୀତ ୧୯୯୦-୧୯୯୧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ସେ ପରାମର୍ଶ ଦାତା ଭାବେ, ୧୯୯୧ରେ ୟୁଜିସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ୨୧ ଜୁନ୍ ୧୯୯୧ରୁ ୧୫ ମେ ୧୯୯୬ ଯାଏ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ଦେଶରେ ଅର୍ଥନୈତିକ ସଂସ୍କାର ବା ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଶ୍ରୀ ସିଂହଙ୍କ ଭୂମିକା ଅବିସ୍ମରଣୀୟ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିମ୍‌ହା ରାଓଙ୍କ ସରକାର ସମୟରେ ବିଗିଡିଯାଇଥିବା ଦେଶର ଅର୍ଥନୀତିକୁ ଉଦାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୧୯୯୮ରୁ ୨୦୦୪ ଯାଏ ସେ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ। ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୯ରେ ମଧ୍ୟ ସେ କଂଗ୍ରେସର ୨ୟ ଟର୍ମ ସରକାର ସମୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପ।।ଇଥିଲେ। ଅର୍ଥାତ୍ ଦୀର୍ଘ ୧୦ ବର୍ଷ (୨୦୦୪-୨୦୧୪ ଯାଏ) ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରୁଥିଲେ। ସେ ନିଜ ରାଜନୈତିକ କ୍ୟାରିୟରରେ କେବେ ହେଲେ ଲୋକସଭା ନିର୍ବାଚନ ଲଢ଼ିନଥିଲେ। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟସଭାରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲ ୩ତାରିଖରେ ରାଜ୍ୟସଭାରୁ ଅବସର ଗ୍ରହଣ କରିଥିଲେ।

ଡକ୍ଟର ସିଂହ ନିଜର ପ୍ରଶାସନିକ ଓ ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ। ତାଙ୍କୁ ୧୯୮୭ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ୧୯୯୩ ଓ ୧୯୯୪ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ୧୯୯୩ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର ମିଳିଥିଲା। ସେହିପରି ୧୯୫୫ରେ କେମ୍ବ୍ରିଜ୍‌ର ସେଣ୍ଟ୍ ଜୋନ୍ସ କଲେଜରେ ବିଶିଷ୍ଟ ପ୍ରଦର୍ଶନ ନିମନ୍ତେ ରାଇଟ୍ ପୁରସ୍କାର ଏବଂ ୧୯୫୬ରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଆଦାମ୍ ସ୍ମିଥ୍ ପୁରସ୍କାର ଭଳି ଅନ୍ତର୍ଜାତୀୟ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ଏହା ବ୍ୟତୀତ ସ୍ୱଗର୍ତ ସିଂହଙ୍କୁ ଜାପାନୀ ନିହୋନ କିଜଈ ଶିମ୍ବୁନ୍ ଏବଂ ଅନ୍ୟ ସଂଘ ପକ୍ଷରୁ ସମ୍ମାନିତ କରାଯାଇଛି। ସେହିପରି କେମ୍ବ୍ରିଜ୍ ଏବଂ ଅକ୍ସଫୋର୍ଡ ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ମାନକ ଉପାଧି ପ୍ରଦାନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବହୁ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ୧୯୯୩ରେ ସେ ସାଇପ୍ରସ୍‌ରେ ରାଜ୍ୟଗୋଷ୍ଠୀ ପ୍ରମୁଖଙ୍କ ବୈଠକ ଏବଂ ଭିଏନାରେ ମାନବାଧିକାର ଉପରେ ହୋଇଥିବା ବିଶ୍ୱ ସମ୍ମିଳନୀରେ ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking