29.1 C
Bhubaneswar
Friday, July 18, 2025
Homeଓଡିଶାଶିକାରୀ ଗୁଳିରେ ଫରେଷ୍ଟର୍ ମୃତ, ୪ ଗିରଫ

ଶିକାରୀ ଗୁଳିରେ ଫରେଷ୍ଟର୍ ମୃତ, ୪ ଗିରଫ

– ମୁଖ୍ୟମନ୍ତ୍ରୀଙ୍କ ୩୦ ଲକ୍ଷର ସହାୟତା ଘୋଷଣା
-କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ସମବେଦନା

ଢେଙ୍କାନାଳ: ବନ ବିଭାଗରେ ଭଲ କାମ କରୁଥିବାରୁ ବିଶ୍ୱ ବନ ଦିବସରେ ରାଜ୍ୟସ୍ତରରେ ଶ୍ରେଷ୍ଠ ଫରେଷ୍ଟର୍ ଭାବେ ପୁରସ୍କୃତ ହୋଇଥିଲେ। ଆଉ କାର୍ଯ୍ୟରତ ଥିଲାବେଳେ ଶୁକ୍ରବାର ମଧ୍ୟରାତ୍ରରେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ହିନ୍ଦୋଳ ସେକ୍‌ସନ୍ ଫରେଷ୍ଟର୍ ପ୍ରହ୍ଲାଦ ପ୍ରଧାନ। ଘଟଣାସ୍ଥଳରୁ ଅଭିଯୁକ୍ତ ୪ ଶିକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ହିନ୍ଦୋଳ ଥାନା ଇଲିରିସିଙ୍ଗା ଗ୍ରାମର ଶିବରାମ ପ୍ରଧାନ, ତଣ୍ଟିଚିରା ଗ୍ରାମ ସନ୍ନିକଟ ଏକ ଫାର୍ମ ହାଉସର ତତ୍ତ୍ୱାବଧାରକ ପୂର୍ଣ୍ଣଚନ୍ଦ୍ର ଦେହୁରୀ, ନରସିଂହପୁର ଥାନା ଅଞ୍ଚଳର ସୁନୀଲ କୁମାର ଜେନା ଏବଂ ଦେବଭୂମି ଗ୍ରାମର ଲକ୍ଷ୍ମୀଧର ଆରୁକ୍‌। ଏହି ଘଟଣାକୁ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ନିନ୍ଦାକରିବା ସହିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ୩୦ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଶୁକ୍ରବାର ବିଳମ୍ବିତ ରାତ୍ରିରେ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଓ ଥାନା ଅନ୍ତର୍ଗତ ରାଜ ମୋହନପୁର – ତଣ୍ଟିଚିରା ମଧ୍ୟବର୍ତ୍ତୀ କାଇ ସଂରକ୍ଷିତ ଜଙ୍ଗଲ ପାର୍ଶ୍ୱସ୍ଥ ଏକ ଫାର୍ମହାଉସ୍‌ରେ କେତେକ ଶିକାରୀ ଶିକାର କରି ଭୋଜିଭାତ କରୁଥିବା ଖବର ପାଇ ଫରେଷ୍ଟର୍ ପ୍ରହ୍ଲାଦ ପ୍ରଧାନ (ମାନସ)ଙ୍କ ନେତୃତ୍ୱରେ ୧୨ ଜଣ ବନ କର୍ମଚାରୀ ସେଠାରେ ପହଞ୍ôଚ ଶିକାରୀମାନଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଫାର୍ମ ହାଉସ୍ ମଧ୍ୟରେ ଥିବା ଏକ ଚାଳ ଛପର ଘରେ ଶିକାରୀମାନଙ୍କ ସହିତ ଫରେଷ୍ଟର୍ ଓ ବନ କର୍ମଚାରୀଙ୍କର ଧସ୍ତାଧସ୍ତି ହୋଇଥିଲା। ଶିକାରୀମାନେ ନିଜକୁ ବଞ୍ଚାଇବା ପାଇଁ ହଠାତ୍ ଗୁଳିଚାଳନା କରିଥିଲେ। ଯେଉଁ ଗୁଳି ଫରେଷ୍ଟର୍ ପ୍ରହଲ୍ଲାଦଙ୍କ ଦେହରେ ଲାଗିଥିଲା। ବିଭାଗୀୟ କର୍ମଚାରୀମାନେ ୪ ଶିକାରୀଙ୍କୁ କାବୁକରି ତାଙ୍କଠାରୁ ବ୍ୟବହୃତ ବନ୍ଧୁକଟି ଛଡ଼ାଇ ନେଇଥିଲେ। ପରେ ଗୁଳିବିଧ ଫରେଷ୍ଟର୍‌ଙ୍କୁ ମୂର୍ମୁଷୁ ଅବସ୍ଥାରେ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ଥାନା ଆଇଆଇସି ଚାରୁଲତା ବେହେରା ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ଡିଟେକ୍ସନ୍ କରିବା ସହ ଛାନ୍‌ଭିନ୍ କରିଛନ୍ତି। ଏସ୍‌ପି ଅଭିନବ ସୋନକର, ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ତେବେ ମୃତଦେହ ବ୍ୟବଚ୍ଛେଦ ପରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଉପସ୍ଥିତିରେ ମୃତ ଫରେଷ୍ଟର୍‌ଙ୍କ ପ୍ରତି ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ସେଠାରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ଏସ୍‌ପି ଅଭିନବ ସୋନକର, ଡିଏଫ୍‌ଓ ସୁମିତ କର, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ଅନୁଗୁଳସ୍ଥିତ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୃତ ଫରେଷ୍ଟର୍‌ଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସେ ପିସିସିଏଫ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ନିନ୍ଦାକରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟୁଇଟ୍ କରି ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଧରିବାକୁ ନିବେଦନ କରିଛନ୍ତି। ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ଘଟଣାର ନିନ୍ଦାକରିବା ସହ ଏହା କାପୁରୁଷଙ୍କ ହୀନମନ୍ୟତା ବୋଲି କହିଛନ୍ତି। ମୃତ ଫରେଷ୍ଟର୍ ଚଳିତବର୍ଷ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ପାଳନ ଅବସରରେ ଶ୍ରେଷ୍ଠ ଫରେଷ୍ଟର୍ ଭାବେ ପୁରଷ୍କୃତ ହୋଇଥିବା ନେଇ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking