28.1 C
Bhubaneswar
Thursday, February 5, 2026
Homeଓଡିଶାଏକଦିବସୀୟ ଚାରା ରୋପଣ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କାମନା କଲେ ଜଙ୍ଗଲ ମନ୍ତ୍ରୀ

ଏକଦିବସୀୟ ଚାରା ରୋପଣ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କାମନା କଲେ ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ମା’ ମାନେ ହେଉଛନ୍ତି ତ୍ୟାଗ ଓ ତିତିକ୍ଷାର ଏକ ପ୍ରଜ୍ବଳିତ ପ୍ରତୀକ । ବୃକ୍ଷଟିଏ ମଧ୍ୟ ଠିକ ମା’ ଟିଏ ପରି କୌଣସି ପ୍ରତ୍ୟାଶା ନରଖି ଜଗତର ମଙ୍ଗଳ ପାଇଁ ନିଜର ସବୁକିଛି ପ୍ରଦାନ କରିଥାଏ । ମା’ଙ୍କ ସମ୍ମାନାର୍ଥେ ଏବଂ ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଗତବର୍ଷ ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନର ମହାର୍ଘ୍ୟ ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରିଥିଲେ ‘ଏକ ପେଡ୍ ମା କେ ନାମ୍’ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ । ଏହି ଅଭିଯାନରେ ସାରା ଦେଶରେ ଜନସାଧାରଣ, ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ ଏବଂ ସଚେତନ ନାଗରିକ ସମାଜ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଯାହା ଫଳରେ ଏହି ଅଭିଯାନ ଗତବର୍ଷ ବିଶେଷ ସଫଳତା ଅର୍ଜନ କରିଥିଲା ।

ବିଗତ ବର୍ଷ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ୬.୭୨ କୋଟି ଚାରା ରୋପଣ କରିଥିଲେ । ‘ଏକ ପେଡ୍ ମା କେ ନାମ୍’ ବୃକ୍ଷରୋପଣ ଅଭିଯାନରେ ଓଡ଼ିଶା ସମଗ୍ର ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏହି କାର୍ଯ୍ୟକ୍ରମ ଅନୁରୂପ, ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୧୭.୦୯.୨୦୨୫ ରୁ ୨.୧୦.୨୦୨୫ ତାରିଖ ପର୍ଯ୍ୟନ୍ତ ପାଳିତ ‘ସେବା ପର୍ବ’ ସମୟରେ ‘ଏକ ପେଡ୍ ମା କେ ନାମ୍ ୨.୦’ ର ଅଂଶ ଭାବରେ ଦେଶବ୍ୟାପୀ ବୃକ୍ଷରୋପଣ ଅଭିଯାନ ଆୟୋଜନ କରୁଛି, ଯଦ୍ଵାରା ନାଗରିକମାନଙ୍କୁ ବୃକ୍ଷ ରୋପଣ କରିବାକୁ ଏବଂ ଦେଶବ୍ୟାପୀ ସବୁଜିମା ପରିବ୍ୟାପ୍ତ କରିବା ଦିଗରେ ଏକ ଉଲ୍ଲେଖଯୋଗ୍ୟ ସହଭାଗିତା ଆଧାରିତ ଆନ୍ଦୋଳନ ସୃଷ୍ଟି କରିବାକୁ ପ୍ରେରଣା ମିଳିବ ବୋଲି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି ।

ଚଳିତ ବର୍ଷ ଜୁନ ୫ ତାରିଖରେ ପାଳିତ ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ବର୍ଷରେ ସରକାରଙ୍କ ୭.୫ କୋଟି ଚାରା ରୋପଣର ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶାବାସୀ ପୂର୍ଣ୍ଣପ୍ରାଣ ସହଯୋଗ କାମନା କରିଥିଲେ । ତାହାସହିତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୭୫ତମ ଜନ୍ମଦିନ ପାଳନ ଉପଲକ୍ଷେ ସାରା ଓଡ଼ିଶାରେ ୭୫ ଲକ୍ଷ ଚାରା ରୋପଣ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ଏକଦିବସୀୟ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଘୋଷଣା କରିଥିଲେ । ଆଉ ମାତ୍ର ସପ୍ତାହେ ପରେ ଏହି ମହତ କାର୍ଯ୍ୟ କରାଯିବ । ଚାରା ରୋପଣ ଠାରୁ ଚାରାର ଯତ୍ନ ନେଇ ତାକୁ ବୃକ୍ଷରେ ରୂପାନ୍ତରିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପ୍ରକାଶ କରିବା ସହ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ନେତୃତ୍ୱରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଶିଳ୍ପ ବିଭାଗ, ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାପନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking