କଟକ: କଳା, ସାହିତ୍ୟ,ସଂସ୍କୃତି ତଥା ଐତିିହ୍ୟ ସମ୍ପନ୍ନ ସହର କଟକର ପ୍ରସିଦ୍ଧ ଶାରଦୀୟ ପୂଜା ପାଇଁ କଟକ ସହର ଏବେ ଉତ୍ସବମୁଖର । ସହରର ପ୍ରମୁଖ ପୂଜା କମିଟିଗୁଡିକ ପକ୍ଷରୁ ନିର୍ମିତ ସୁଉଚ୍ଚ ତୋରଣ ସହ ରଙ୍ଗବେରଙ୍ଗର ଆଲୋକ ସଜ୍ଜାରେ ଏବେ ଚମକୁଛି କଟକ ସହର । ପାଗ ଅନୁକୁଳ ରହିଥିବାରୁ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଆଜି ଷଷ୍ଠୀ ତିଥିରେ ବି ଭିଡ଼ ପରିଲକ୍ଷିତ ହେଉଛି । ବାଉନ ବଜାର ତେପନ ଗଳି ଓ ଅଣଷଠି ୱାର୍ଡର କଟକ ସହରରେ ଆରମ୍ଭ ହୋଇଥିବା ଶାରଦୀୟ ଉତ୍ସବ ଆସନ୍ତା କାଲିଠାରୁ ଭସାଣ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଚାଲିବ। ଶାନ୍ତି ଶୃଙ୍ଖଳାର ସହ ଚଳିତ ବର୍ଷର ପୂଜାକୁ ସମାପନ କରିବା ଲାଗି ଜିଲା ପ୍ରଶାସନ, କମିଶନରେଟ ପୋଲିସ ଓ କଟକ ନଗର ପୂଜା କମିଟି ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସା୍ଥ ଗ୍ରହଣ କରାଯାଇଛି। ଚଳିତ ବର୍ଷ କଟକ ମହାନଗର ଅଞ୍ଚଳରେ ଥିବା ୧୫୪ଟି ମଣ୍ଡପରେ ଅନୁଷ୍ଠିତ ହେଉଛି ଶାରଦୀୟ ପୂଜା। ୭୧ଟି ମଣ୍ଡପରେ ଜଗତ ଜନନୀ ମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିଲା ବେଳେ ୭୧ଟି ସ୍ଥାନରେ ମଧ୍ୟ ହରପାର୍ବତୀ ପୂଜା ପାଉଛନ୍ତି।
ଏହାଛଡା ପିତୁଳା ୫ଟି, ଶ୍ରୀକୃଷ୍ଣ୨ଟି,କୁଞ୍ଜ ୩ଟି ଓ ଶ୍ରୀଚୈତନ୍ୟ ୨ଟି ମଣ୍ଡପରେ ଶୋଭା ପାଉଛନ୍ତି । ଏଥର ରାମଗଡ଼-କନିକା ରୋଡ୍ ମଣ୍ଡପରେ ନୂତନଭାବେ ଦୁଇ କ୍ୱିଣ୍ଟାଲ ଓଜନର ଚାନ୍ଦିରେ ନିର୍ମିତ ମେଢ ଶୋଭା ପାଉଛି। ଫଳରେ ରୌପ୍ୟ ନଗରୀ କଟକରେ ଚାନ୍ଦିମେଢ ସଂଖ୍ୟା ୩୪ରେ ପହଞ୍ôଚିଛି। ନୂତନଚାନ୍ଦି ମେଢକୁ ଦେଖିବା ଲାଗି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ପରିଲକ୍ଷିତ ହେଉଛି। ଏହାଛଡା ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ, ଦୋଳମୁଣ୍ଡାଇ-ହରିପୁର, ସାଆନ୍ତସାହି, କଲେଜଛକ, ରାଣୀହାଟ, ଚାଉଳିଆଗଞ୍ଜ, ମାଲଗୋଦାମ, ଛତ୍ରବଜାର, ଚୌଧୁରୀବଜାର, ନୟାସଡକ,ଚାନ୍ଦିନିଚୌକ ଓ ଶେଖବଜାର ଆଦି ପ୍ରମୁଖ ପୂଜାକମିଟି ପକ୍ଷରୁ ହୋଇଥିବା ସାଜସଜ୍ଜା, ରଙ୍ଗବେରଙ୍ଗର ଆଲୋକ ମାଳା, ସୁଉଚ୍ଚ ତୋରଣ ପୂଜାର ମାହୋଲକୁ ଆହୁରି ଉତ୍ସବ ମୁଖରିତ କରାଇଛି । ଆସନ୍ତା କାଲି ସପ୍ତମୀ ତିଥି, ସପ୍ତମୀରୁ ଭସାଣ ପର୍ଯ୍ୟନ୍ତ ୫ଦିନ ପାଇଁ କଟକ ସହର ଦୁଲିକିବ। ଏଥିପାଇଁ ସହରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ ଉଦ୍ଦୀପନା।
ତେବେ ଆଜି ସଂଧ୍ୟାରୁ ବଜାରଘାଟ ସରଗରମ ହୋଇଥିଲାବେଳେ ଅନୁଭୂତ ହୋଇଛି ପ୍ରବଳ ଭିଡ । କେତକ ପୂଜା କମିଟି ପକ୍ଷରୁ ମେଢ, ତୋରଣ ଏବଂ ବନ୍ଧୁମିଳନ ଆଦି କାର୍ଯ୍ୟକ୍ରମ କରାଯାଇଛି। ଚଳିତ ବର୍ଷର ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦୁର୍ଗାପୂଜା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ପୋଲିସର ଫ୍ଲାଗମାର୍ଚ୍ଚ ସୂଚାଇ ଦେଇଛି ସୁରକ୍ଷା ବ୍ୟବସ୍ଥା କିପରି ଗ୍ରହଣ କରାଯାଇଛି। ଭିଡ଼କୁ ରୋକିବା ଲାଗି ଆଜିଠାରୁ ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସେ ଯାହାହେଉ ପୂଜା ଆୟୋଜନ ଦମ୍ଦାର ହୋଇଥିବାରୁ ଚଳିତ ବର୍ଷ ଦଶହରା ଖୁବ୍ ମନୋରଞ୍ଜକ ହେବ ବୋଲି ଆଶା କରାଯାଉଛି ।










