ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଗତ କିଛି ଦିନ ମଧ୍ୟରେ ବିବାହ ସମୟର ଅନେକ ଭିଡିଓ ଓ ଫଟୋ ଭାଇରାଲ୍ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଘଟଣା ଉତ୍ତରପ୍ରଦେଶର ଚନ୍ଦୌଲି ଜିଲାରୁ ସାମ୍ନାକୁ ଆସିଛି । ବିବାହ ସମୟରେ ବର କେବଳ ଗୋଟିଏ ରୁଟି ପାଇଁ ବିବାହ ଭାଙ୍ଗି ସେଠାରୁ ପଳାଇ ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଲୋକଙ୍କ ହୋସ୍ ଉଡାଇ ଦେଇଛି । ଚନ୍ଦୌଲିର ହମୀଦପୁର ଗାଁରେ ବରଙ୍କ ଏଭଳି କାର୍ଯ୍ୟକଳାପ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବରଙ୍କୁ ରୁଟି ମିଳିବାରେ ବିଳମ୍ବ ହେବା କାରଣରୁ ସେ ବିବାହ ନକରି ବରଯାତ୍ରୀ ନେଇ ସେଠାରୁ ପଳାଇଥିଲେ । କନ୍ୟା ଜଣକ ବରକୁ ଅପେକ୍ଷା କରିଥିଲେ । ଏହାପରେ ବର ଜଣକ ଅନ୍ୟ ଜଣେ କନ୍ୟାକୁ ବିବାହ ମଧ୍ୟ କରିଥିଲେ ବୋଲି ଜଣାପଡିଥିଲା । ସୂଚନାନୁଯାୟୀ, ଉଭୟଙ୍କ ବିବାହ ୭ ମାସ ପୂର୍ବରୁ ସ୍ଥିର ହୋଇଥିଲା । ବରଯାତ୍ରୀ ସହ ବର ଜଣକ ପହଞ୍ଚିବା ପରେ କନ୍ୟା ପକ୍ଷ ଖୁବ୍ ଧୁମଧାମ୍ ସହ ସଭିଁଙ୍କୁ ସ୍ୱାଗତ ମଧ୍ୟ କରିଥିଲେ । ମାତ୍ର ରାତିରେ ଭୋଜନ ବେଳେ ରୁଟି ପରଷିବାରେ ବିଳମ୍ବ ହେବାକୁ ବର ଜଣକ ବିବାହ ଭାଙ୍ଗି ବରଯାତ୍ରୀ ନେଇ ଫେରି ଯାଇଥିଲେ।